ଏପଟେ ମା କରୁଛି ପୁଅ ଜୀଉଁନ୍ତିଆ ବ୍ରତ ଆଉ ସେପଟେ ୪ ବର୍ଷ ବୟସ୍କ ପୁଅର ଜୀବନ ନେଲା ପୁତୁରା
3/10/2018 at 6:23 PM

ବରଗଡ ୩|୧୦: ଗତ କାଲି ସମଗ୍ର ପଶ୍ଚିମ ଓଡିଶାରେ ପୁଅର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ବହୁ ଉତ୍ସାହ ଉଦ୍ଧୀପନା ର ସହ ପୁଅ ଜୀଉଁନ୍ତିଆ ପାଳନ କରାଯାଉଥିବା ବେଳେ ଜଣେ ଶିଶୁକୁ କୂଅରେ ଠେଲି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।ଏପରି ଏକ ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଧଉରାଖନ୍ଦା ଗ୍ରାମରେ ।ଧଉରାଖନ୍ଦା ଗ୍ରାମର ବିଷ୍ଣୁ ଚରଣ ଦାସଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ।ତାଙ୍କର ୪ ବର୍ଷର ପୁଅ ସୁଦେଵକୁ ଗତ କାଲି ସନ୍ଧ୍ୟାରେ ବିଷ୍ଣୁ ଚରଣଙ୍କ ଭାଇ ଭୁଜବତୀ ଦାସଙ୍କ ପୁଅ ୧୮ ବର୍ଷ ବୟସ୍କ ଗୁରୁଦେବ ଡାକି ନେଇଥିଲେ ।ସେହି ସମୟରୁ ସୁଦେଵ ନିଖୋଜ ଥିଲା ।ରାତି ତମାମ ବହୁ ଖୋଜା ଖୋଜି କରିବା ପରେ ସୁଦେଵର ମୃତ ଦେହ ସେହି ଗ୍ରାମର ଦୟାନିଧି ଦାସଙ୍କ କୂଅ ରୁ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । ଏହି ଘଟଣା ରେ ପୋଲିସ ମୃତ ସୁଦେଵ ର ବଡବାପା ପୁଅ ଭାଇ ଗୁରୁଦେବକୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡ ଉଭୟ ପରିବାର ଙ୍କ ମଧ୍ୟରେ ଥିବା ଜମିବାଡ଼ି ଗଣ୍ଡଗୋଳକୁ ନେଇ ଘଟିଥିବା ସଦର ଥାନା ଅଧିକାରୀ ମମତା ନାୟକ କହିଛନ୍ତି ।