ଉତ୍ତରପ୍ରଦେଶ ୧୨/୧୧ : ମାଟି ଖୋଳୁ ଖୋଳୁ ଖସିଲା ଅତଡା । ଘଟଣାସ୍ଥଳରେ ୪ ମୃତ, ୪ ଗୁରୁତର । ମୃତକଙ୍କ ମଧ୍ୟରେ ୩ ମହିଳା ଓ ଜଣେ ଯୁବତୀ । ଏବେବି ମାଟି ତଳେ ଫସିରହିଛନ୍ତି ମହିଳା ଓ ଶିଶୁ । ଫଳରେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ଦେଖାଦେଇଛି । ୪ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତରପ୍ରଦେଶରେ ଦେବଠାନ ପର୍ବ ବେଶ ଧୁମଧମାରେ ପାଳନ ହେଉଥିବାବେଳେ କାସଗଞ୍ଜରେ ଘଟିଛି ଅଘଟଣ । ଘର ଓ ଚୁଲି ଲିପିବା ପାଇଁ କାତୌର ଓ ରାମପୁର ଅଞ୍ଚଳର ପ୍ରାୟ ୩୦ରୁ ଅଧିକ ମହିଳା ଓ ଶିଶୁ ମାଟି ଆଣିବାକୁ ମୋହନପୁରା ଗାଁକୁ ଆସିଥିଲେ । ସେଠି ମାଟି ଖୋଳୁ ଖୋଳୁ ହଠାତ ମାଟି ଅତଡା ଖସି ମହିଳାଙ୍କ ଉପରେ ପଡିଯାଇଥିଲା । ଫଳରେ ସେମାନେ ତା' ତଳେ ଚାପି ହୋଇ ଉଦ୍ଧାର ପାଇଁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଜେସିବି ସହାୟତାରେ ମାଟି ଖୋଳି ଉଦ୍ଧାର କାମ କରିଥିଲେ । ମାଟି ତଳେ ଆହୁରି ଅନେକ ଫସି ରହିଥିବା ଆଶଙ୍କା ଥିବାରୁ ସେମାନଙ୍କୁ ଉଦ୍ଧାର କରିବାରୁ ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାମକୁ ତ୍ବରାନ୍ବିତ କରିବା ସହ ଗୁରୁତରଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।