ଖୋର୍ଦ୍ଧା ଗୁଳିକାଣ୍ଡର ତଦନ୍ତ ପାଇଁ ୪ଟି ଟିମ ଗଠନ : ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜାରି

Published By : Prameya-News7 Bureau | December 16, 2019 IST

ଖୋର୍ଦ୍ଧା ୧୬/୧୨: ଖୋର୍ଦ୍ଧାରେ ଡାକ୍ତର ଏବଂ ଔଷଧ ଦୋକାନୀଙ୍କୁ ଗୁଳିମାଡ ଘଟଣାର ତଦନ୍ତ ପାଇଁ ଟିମ୍  ଗଠନ ହୋଇଛି । ଖୋର୍ଦ୍ଧା ଏସ୍ ପିଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ ହୋଇଛି । ଦୁଇଟି ଟିମରେ ୨ ଜଣ SDPO ଦାୟିତ୍ବରେ ରହିବେ । ଆଉ ଦୁଇଟି ଟିମରେ ୨ ଜଣ ଅତିରିକ୍ତ ଏସ୍ପି ଦାୟିତ୍ବରେ ରହିବେ । ଗୁଳିକାଣ୍ଡର ସମୟରେ ସିସିଟିଭିରେ କଏଦ ଭିଜୁଆଲ ଆଧାରରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ସେପଟେ ଗୁଳିମାଡର ଶିକାର ହୋଇଥିବା ଔଷଧ ଦୋକାନୀ ସନ୍ତୋଷ ସାହୁଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗୁରୁତର ଶିଶୁ ବିଶେଷଜ୍ଞ ମାନସ ରଞ୍ଜନ ଦାସଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ଖୋର୍ଦ୍ଧା ନୂଆ ମେଡିକାଲ ନିକଟରେ ଏହି ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡରେ ଶିଶୁ ରୋଗ ବିଶେଷଜ୍ଞ ମାନସ ରଞ୍ଜନ ଦାସ ଗୁରୁତର ହୋଇଛନ୍ତି । ଡାକ୍ତରଙ୍କ ଉପରେ ଦୁର୍ବୃତ୍ତ ମାନେ ଗୁଳି ଚଳାଇଥିବା ବେଳେ ମେଡିସିନ୍ ଷ୍ଟୋର ମାଲିକ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ ।

ଦୁର୍ବୃତ୍ତ ମାନେ ତାଙ୍କ ଉପରକୁ ମଧ୍ୟ ୨ରାଉଣ୍ଡ ଗୁଳି ଚଳାଇଥିଲେ । ଫାୟାରିଂ କରି ଦୁଇ ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଡାକ୍ତର ଓ ମେଡ଼ିସିନ ଦୋକାନୀଙ୍କୁ ଖୋର୍ଦ୍ଧାରୁ ଭୁବନେଶ୍ବରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିସିନ ଦୋକାନୀଙ୍କର ଆଜି ମୃତ୍ୟୁ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.