ଦୁଇ ଦିନରେ ୪ ଖେଳାଳି ଖେଳିବେ ନିଜର ୧୦୦ତମ ଟେଷ୍ଟ, ଅଶ୍ଵିନ ବି ସାମିଲ୍

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ: ମାର୍ଚ୍ଚ ୭ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ପଞ୍ଚମ ତଥା ସିରିଜ୍‌ର ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଟେଷ୍ଟ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଓ ଇଂଲଣ୍ଡର ବ୍ୟାଟର ଜୋନି ବେୟାରଷ୍ଟୋଙ୍କ ପାଇଁ ଐତିହାସିକ ରହିବ। ଧର୍ମଶାଳାର ଏହି ସୁନ୍ଦର ଷ୍ଟାଡିୟମରେ ଏହି ଦୁଇ ଖେଳାଳି ନିଜ ଟେଷ୍ଟ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। କେବଳ ଏତିକି ନୁହେଁ ମାର୍ଚ୍ଚ ୮ ତାରିଖ ଆଉ ଦୁଇ ଖେଳାଳି ଟେଷ୍ଟ କ୍ୟାରିୟରରେ ନିଜର ୧୦୦ତମ ମ୍ୟାଚ୍ ଖେଳିବେ, ଯିଏ ଗୋଟିଏ ଦେଶର ଖେଳାଳି ଅଟନ୍ତି।

Also read- ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ କ୍ରେଜ, ୧ କୋଟି ୮୬ ଲକ୍ଷ ଟଙ୍କାରେ ପହଞ୍ଚିଲାଣି ଟିକେଟ୍ ମୂଲ୍ୟ

ମାର୍ଚ୍ଚ ୭ ତାରିଖରେ ରବିଚନ୍ଦ୍ରନ ଅଶ୍ଵିନ ଓ ଜୋନି ବେୟାରଷ୍ଟୋଙ୍କ ପରେ ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡର ମହାନ ବ୍ୟାଟର କେନ ଓ୍ଵିଲିୟମସନ ଓ ଦଳର ଦ୍ରୁତ ବୋଲର ଟିମ ସାଉଦି ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍ ଖେଳିବେ। ମାର୍ଚ୍ଚ ୮ ତାରିଖରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ଵିତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଉପରୋକ୍ତ ଚାରି ଖେଳାଳି ୯୯ଟି ଟେଷ୍ଟ ଖେଳି ସାରିଛନ୍ତି।

ଏ ପର୍ଯ୍ୟନ୍ତ ୭୫ ଖେଳାଳି ୧୦୦ କିମ୍ବା ସେଥିରୁ ଅଧିକ ଟେଷ୍ଟ  ମ୍ୟାଚ୍ ଖେଳିଛନ୍ତି। ଏବେ ଏହି କ୍ଲବରେ ସାମିଲ ହେବାକୁ ଯାଉଛନ୍ତି ଆର ଅଶ୍ଵିନ, ଜୋନି ବେୟାରଷ୍ଟୋ, ଟିମ୍ ସାଉଦି ଓ କେନ ଓ୍ଵିଲିୟମସନ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର ୪ ଖେଳାଳି ଡାନିଏଲ ଭେଟୋରୀ, ରସ୍ ଟେଲର, ଷ୍ଟିଫେନ ଫ୍ଲେମିଂ ଓ ବ୍ରେଣ୍ଡନ ମ୍ୟାକକୁଲମ ୧୦୦ ଟେଷ୍ଟ ଖେଳି ସାରିଛନ୍ତି। ସେହିପରି ଭାରତର ୧୩ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ ଲକ୍ଷ୍ମଣ, ଅନିଲ କୁମ୍ବଲେ, କପିଲ ଦେବ, ସୁନିଲ ଗାଭାସ୍କର, ସୌରଭ ଗାଙ୍ଗୁଲି, ବିରାଟ କୋହଲି, ଇଶାନ୍ତ ଶର୍ମା, ବୀରେନ୍ଦ୍ର ସେହ୍ଵାଗ, ହରଭଜନ ସିଂ ଓ ଚେତେଶ୍ଵର ପୂଜାରା ୧୦୦ କିମ୍ବା ତଦୁର୍ଦ୍ଧ୍ଵ ଟେଷ୍ଟ ଖେଳିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.