ତିତିଲିକୁ ନେଇ ପୁରୀରେ ୪ ନମ୍ୱର ବିପଦ ସଙ୍କେତ; ସତର୍କ ସୂଚନା ପାଇଁ ପୋତାଯାଇଛି ନାଲି ପତାକା

Published By : Prameya-News7 Bureau | October 10, 2018 IST

ମାଡ଼ି ଆସୁଛି ବାତ୍ୟା ତିତିଲି। ପ୍ରବଳ ବର୍ଷା ସାଙ୍ଗକୁ ପୁରୀ ସମୁଦ୍ର ଅଶାନ୍ତ ରହିଛି। ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ସ୍ନାନ ବାରଣ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ଲାଇଫ ଗାର୍ଡ଼ ବେଳାଭୂମିରେ ମୃତୟନ କରାଯାଇଛି। ଅନ୍ୟପଟେ ତିତିଲିକୁ ସାମ୍ନା କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କୁ ଡ଼ାକି ଜିଲ୍ଲାପାଳ ଜରୁରୀକାଳୀନ ବୈଠକ ଡ଼ାକିଛନ୍ତି। ସିଭିୟର ସାଇକ୍ଲୋନର ରୁପ ନେଇଛି ବାତ୍ୟା ତିତିଲି। ପୁରୀରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ର ମଧ୍ୟ ଭୟଙ୍କର ରୂପ ଧାରଣ କରିଛି। ତେବେ ବାତ୍ୟା ତିତିଲିକୁ ନେଇ ପୁରୀରେ ୪ ନମ୍ୱର ବିପଦ ସଙ୍କେତ ଦିଆଯାଇଥିବା ବେଳେ ଏହାର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ତିତିଲିକୁ ସାମ୍ନା କରିବା ପାଇଁ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। ବାତ୍ୟାର ପ୍ରକୋପ କମିବା ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କର ଛୁଟି ବାତିଲ୍ କରାଯାଇଛି। ସେହିପରି ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କୁ ତୁରନ୍ତ ପକ୍କା ସ୍କୁଲ ଘର, ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ତିତିଲିର ପ୍ରଭାବରେ ପୁରୀ ସୁମଦ୍ର ମଧ୍ୟ ଅଶାନ୍ତ ରହିଛି। ତେବେ ବେଳାଭୂମିରେ ସମୁଦ୍ର ସ୍ନାନକୁ ବାରଣ କରାଯିବ ସହ ୧୦୦ ଜଣ ଲାଇଫଗାର୍ଡ଼ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପର୍ଯ୍ୟଟକଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଉଚ୍ଚ ଜୁଆର ସାଙ୍ଗକୁ ବଡ଼ ବଡ଼ ଢ଼େଉ ଆସୁଥିବାରୁ ସମୁଦ୍ରରେ ସ୍ନାନ କରିବା ପାଇଁ ପର୍ଯ୍ୟଟକ ମାନଙ୍କୁ ବାରଣ କରାଯାଇଛି। ବାଥିଙ୍ଗ ଜୋନ୍ ହିସାବରେ ସୁମଦ୍ରକୂଳକୁ ୧୪ ଟି ସେକ୍ଟରରେ ବିଭକ୍ତ କରାଯିବା ସହ ସତର୍କ ସୂଚନା ପାଇଁ ନାଲି ପତାକା ମଧ୍ୟ ପୋତାଯାଇଛି। ଅନ୍ୟପଟେ ସମୁଦ୍ରର ଏଭଳି କରାଳ ରୂପକୁ ଦେଖି ପର୍ଯ୍ୟଟକ ମାନେ ଭୟଭୀତ ହୋଇ ଯାଇଛନ୍ତି। ବାତ୍ୟାକୁ ନଜରରେ ରଖି ସମସ୍ତ ଅଙ୍ଗନବାଡ଼ୀ ଓ ଆଶାକର୍ମୀ, ବିଇଓ, ଡ଼ିଇଓ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସଜାଗ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ବିଭିନ୍ନ ବ୍ଲକରେ ଶୁଖିଲା ଖାଦ୍ୟ ଓ ପିଇବା ପାଣି ମହଜୁଦ ରଖିବା ସହ ବ୍ଲକ୍ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.