ଉମରକୋଟ ୪ ନିଖୋଜ ଘଟଣା, ପରିତ୍ୟକ୍ତ କୂଅରୁ ମିଳିଲା କାର୍ !

Published By : Prameya-News7 Bureau | December 12, 2022 IST

ଉମରକୋଟ ୧୨/୧୨: ବାହାଘର ଭୋଜି ଖାଇ ଫେରିବା ବେଳେ ଉମରକୋଟ ଚାରି ଜଣଙ୍କୁ ଅପହରଣ ସନ୍ଦେହ ଘଟଣା । ରାସ୍ତା ପାର୍ଶରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ କାର୍ ଠାବ ହୋଇଥିବା ସୂଚନା । ତେବେ କାର୍ ଟାୟାର ଫାଟି ଯିବାରୁ କୂଅ ଭିତରେ ପଶି ଯାଇଥିବା ଜଣାପଡିଛି । ତେବେ ସମସ୍ତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ କୂଅରୁ ପାଣି ଖାଲି କରାଯାଉଛି । ଖାଲି କରିବା ପରେ ହିଁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସ୍ପଷ୍ଟ ହୋଇପାରିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ପଡ଼ୋଶୀ ଛତିଶଗଡ଼ କାଙ୍କେର ଜିଲ୍ଲାର ସମ୍ପର୍କୀୟଙ୍କ ବାହାଘରରୁ ଫେରୁଥିବା ବେଳେ ଉମରକୋଟ ସହରର ୪ ଜଣ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ସେମାନେ ହେଲେ ସପନ ସରକାର, ତାଙ୍କ ସ୍ତ୍ରୀ ରୀତା ସରକାର, ଶାଳକ ବିଶ୍ୱଜିତ ଅଧିକାରୀ ଓ ପଡ଼ୋଶୀ ହାଜାରି ଢାଲି । ସପନଙ୍କ ପୁଅ ଏନେଇ କାଙ୍କେର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସୂଚନା ପାଇ ଉମରକୋଟ ଥାନା ଅଧିକାରୀ ଦୀପକକୁମାର ଜେନା ସପନଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଥାନାରେ ଦିଆଯାଇଥିବା ଅଭିଯୋଗ ପ୍ରକାରେ ଶନିବାର ସପନ ସପରିବାର ଛତିଶଗଡ କାଙ୍କେର ଜିଲ୍ଲାରେ ରହୁଥିବା ତାଙ୍କ ଶଢୁଙ୍କ ପୁଅ ବାହାଘରକୁ ୪ଟି ଚାରିଚକିଆ ଗାଡ଼ିରେ ଯାଇଥିଲେ । ବାହାଘର କାର୍ଯ୍ୟ ସରିବା ପରେ କୋଣ୍ଡାଗାଁର ସମ୍ପର୍କୀୟଙ୍କ ଘରକୁ ଯାଇ ଉମରକୋଟ ଫେରିବାର ଥିଲା । ସକାଳେ ସମସ୍ତେ ଉମରକୋଟ ଫେରିଥାନ୍ତେ । ହେଲେ କାଙ୍କେର ଠାରୁ ୫କିମି ଦୂର ପରେ ଆଉ ସେମାନଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରି ନଥିଲା ।

ଅନ୍ୟ ୩ଟି ଗାଡ଼ି ଉମରକୋଟ ଫେରିଥିବା ବେଳେ ସପନ ବସିଥିବା କାର(ଓଡି ୨୪ସି ୧୭୦୫)ଟି ନିଖୋଜ ହୋଇଯାଇଥିବା ଏତଲାରେ ଉଲ୍ଲେଖ ରହିଛି । କାଙ୍କେରରୁ କୋଣ୍ଡାଗାଁ ଫେରୁଥିବା ବେଳେ ସେମାନେ ନିଖୋଜ ଥିବା ତାଙ୍କ ପୁଅ ଦୀପକ କହିଛନ୍ତି । ସେ କହିଛନ୍ତି, ବାହାଘର ପରେ ସମସ୍ତେ ରାତି ସାଢେ ୧୦ଟାରେ କାଙ୍କେରରୁ ବାହାରିଥିଲେ । ସକାଳେ ସମସ୍ତେ ପହଞ୍ଚିଥିବା ବେଳେ ତାଙ୍କ ବାପାଙ୍କ ଗାଡ଼ି ନ ପହଞ୍ଚିବାରୁ ବାପାଙ୍କୁ ଖେଜିବାକୁ ଦୀପକ କାଙ୍କେର ଯାଇଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳି ନଥିଲା । ଏହା ପରେ ସେ ସେଠାକାର ଥାନାରେ ଏତଲା ଦେଇଥିଲେ । ଏତଲା ଦେବା ପରେ କାଙ୍କେର ପୁଲିସ ଉମରକୋଟ ପୁଲିସକୁ ଖବର ଦେଇଥିଲା । ତଦନ୍ତ ଜାରି ରହିଥିବା ଉମରକୋଟ ଥାନା ଅଧିକାରୀ ଶ୍ରୀ ଜେନା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.