ବଜ୍ରାଘାତ ନେଲା ତିନି ଚାଷୀଙ୍କ ସହ ନାବାଳିକାଙ୍କ ଜୀବନ

Published By : Prameya-News7 Bureau | September 01, 2020 IST

ଆନନ୍ଦପୁର ୧।୯: ଆନନ୍ଦପୁର ଅଞ୍ଚଳରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ତିନି ଜଣ ଚାଷୀଙ୍କ ଜୀବନ ଯାଇଥିବାବେଳେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ନାବାଳିକା ଜଣଙ୍କ ରାମଚନ୍ଦ୍ରପୁର ଥାନା ପଣ୍ଡୁଆ ଗାଁର ସନ୍ତୋଷ ପ୍ରଧାନଙ୍କ ୧୨ ବର୍ଷର ଝିଅ  କଳ୍ପନା । ସେ ମଙ୍ଗଳବାର ସକାଳେ ନିଜ ଘର ଦାଣ୍ଡପିଣ୍ଢାରେ ବସିଥିବା ସମୟରେ ବଜ୍ରପାତ ଯୋଗୁଁ ଗୁରୁତର ହୋଇଥିଲେ । ପ୍ରଥମେ ସାଇଁକୁଳ ଡାକ୍ତରଖାନା ଓ ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଝିଅ ମୃତ ଘୋଷଣା ଜାଣି ବାପା ସନ୍ତୋଷ ଡାକ୍ତରଖାନା ପରିସରରେ ପଡି ଯାଇ ଗୁରୁତର ହୋଇଛନ୍ତି  । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେହିପରି ବଜ୍ରାଘାତରେ ମୃତ୍ୟୁ ହୋଇଥିବା ୩ ଚାଷୀ କ୍ଷେତରେ କାମ କରୁଥିବା ସମୟରେ ବଜ୍ରାପାତର ଶିକାର ହୋଇଥିଲେ । ଏମାନଙ୍କ ମଧ୍ୟରେ ମୃତ ରାମଚନ୍ଦ୍ରପୁର ଥାନା ଗଡବାନ୍ଦୋଗଡା ସାପୁଆସାହିର ପୂର୍ଣ୍ଣଚନ୍ଦ୍ର ମୁଣ୍ଡା ମଙ୍ଗଳବାର ସଖାଳୁ ନିଜ ଧନ କ୍ଷେତରେ ଘାସ ବାଛିବା କାମରେ ଲାଗିଥିଲେ । ଏହି ସମୟରେ ବଜ୍ରଘାତ ପାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ନେଇଥିଲେ ପରିବାର ଲୋକେ । ହେଲେ ସତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା ।

ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଚାଷୀ ଗଣେଷ ଜେନା ନିଜ ଧାନ କ୍ଷେତକୁ ଘାସ କାଟିବାକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି ।

ସେହିପରି ନନ୍ଦିପଦା ଥାନା ବାହାରିପୁର ଗାଁର ବଲ୍ଲଭ ବେହେରା ନିଜ ଭିଣୋଇ ଘର ନୂଆଁରମ୍ଫାସକୁ ଧାନତଳି ରୋଇବାକୁ ଯାଇଥିଲେ । ଉଭୟ ଶଳା ବଲ୍ଲଭ ଓ ଭିଣୋଇ ପରମାନନ୍ଦ ନାୟକ କ୍ଷେତରେ ଧାନତଳା ରୋଉଥିବା ସମୟରେ ବଜ୍ରପାତ ଘଟି ବଲ୍ଲଭ ବେହେରା ଗୁରୁତର ହୋଇଥିଲେ । ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମଧ୍ୟ ମୃତ ଘୋଷଣା କରିଛନ୍ତି ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.