ବାହାଘର ସାରି ଫେରୁଥିବା ଭ୍ୟାନ୍ ସହ ଟ୍ରେଲରର ମୁହାଁମୁହିଁ ଧକ୍କା : ୪ମୃତ ଏବଂ ୧୧ଆହତ

Published By : Prameya-News7 Bureau | December 07, 2020 IST

ଭିଲଓ୍ବାଡ଼ା ୭/୧୨: ଗୋଟିଏ ସପ୍ତାହ ମଧ୍ୟରେ ରାଜସ୍ଥାନରେ ଦ୍ବିତୀୟ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଭିଲଓ୍ବାଡ଼ା ଜିଲ୍ଲାର ଜହାଜପୁର ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୧୧ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ବିବାହରେ ସାମିଲ ହୋଇ ନିଜ ଘରକୁ ଫେରୁଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗୁରୁତରଙ୍କୁ ଚିକିତ୍ସା ପାଇଁ ଜହାଜପୁରରୁ ଭିଲଓ୍ବାଡ଼ା ରେଫର କରାଯାଇଛି। ଦୁର୍ଘଟଣା କାରଣରୁ ଘଣ୍ଟାଏ ଯାଏଁ ଭିଲଓ୍ବାଡ଼ା ଦେବଲି ହାଇଓ୍ବେ ଜାମ୍ ରହିଥିଲା।

ପୋଲିସର କହିବା ଅନୁସାରେ,ଦୁର୍ଘଟଣା ଜହାଜପୁର-ଶାହପୁରା ରାସ୍ତାରେ ହୋଇଛି। ଏମାନେ ଆଜମେର ଜିଲ୍ଲାର ସାଓ୍ବରରେ ଆୟୋଜିତ ବିବାହରେ ସାମିଲ ହୋଇ ଭ୍ୟାନରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ବନାସ ଛକ ପାଖରେ ତାଙ୍କ ଭ୍ୟାନ୍ ସାମନାରୁ ଆସୁଥିବା ଟ୍ରେଲର ସହ ଜୋରଦାର ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ଏବଂ ୧୧ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ନାଁ କମଳେଶ,ଅଙ୍କୁଶ,ରାମଲାଲ ଏବଂ ରାଜୁ ବୋଲି ଜଣା ପଡ଼ିଛି।

ଦୁର୍ଘଟଣା ଯୋଗୁଁ ଏହି ରାସ୍ତାରେ ପ୍ରବଳ ଭିଡ଼ ହୋଇଥିଲା। ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତ ଏବଂ ଆହତଙ୍କୁ ସ୍ଥାନୀୟ ଜହାଜପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଆହତଙ୍କୁ ପ୍ରାଥମିକ ଉପଚାର ପରେ ଭିଲଓ୍ବାଡ଼ା ରେଫର କରାଯାଇଥିଲା। ଦୁର୍ଘଟଣାର ସୂଚନା ମିଳିବା ମାତ୍ରେ ବିବାହ ଉତ୍ସବରେ ଖୁସି ବଦଳରେ ଶୋକର ଛାୟା ଖେଳି ଯାଇଥିଲା। ପୋଲିସ୍ ମୃତକଙ୍କ ଶବକୁ ଆଜି ପୋଷ୍ଟମର୍ଟମ କରାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.