କଳାହାଣ୍ଡି ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ୪ଟି ମେଗାଲିଫ୍ଟ ଯୋଜନାକୁ ଅନୁଦାନ

Published By : Prameya-News7 Bureau | September 23, 2022 IST

କଳାହାଣ୍ଡି, ୦୯/୨୩: କଳାହାଣ୍ଡି ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କଳାହାଣ୍ଡିର ୩ଟି ବ୍ଲକ କେସିଙ୍ଗା, ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁରରେ ୪ଟି ମେଗା ଲିଫ୍ଟ ପ୍ରକଳ୍ପ ତିଆରି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କେସିଙ୍ଗା ବ୍ଲକର ସାଲେଭଟାରେ ତେଲନଦୀ ଓ ସନ୍ଦୁଲ ନଦୀ ଉପରେ ୧୫୦୦ ହେକ୍ଟର ଜାଗାରେ ମେଗା ଲିଫ୍ଟ ପାଇଁ ୭୨.୨୬ କୋଟି ଟଙ୍କା, ଲାଞ୍ଜିଗଡ଼ ବ୍ଲକର ଚମ୍ପାଦେଇପୁରରେ ବସୁନ୍ଧରା ନଦୀ ଉପରେ ୧୦୬୩ ହେକ୍ଟର ଜାଗାରେ ୩୭.୭୬ କୋଟି ଟଙ୍କା, ଥୁଆମୂଳ ରାମପୁର ବ୍ଲକର ଗୋପୀନାଥ ପୁର ଇନ୍ଦ୍ରାବତୀ ନଦୀ ଉପରେ ୧୮୪୫ ହେକ୍ଟର ଜାଗାରେ ୬୬.୩୮ କୋଟି ଟଙ୍କା ଅନୁଦାନ ମିଳିଛି ।

ଅନ୍ୟପଟେ ଥୁଆମୂଳ ରାମପୁର ବ୍ଲକ ଟେଡଙ୍ଗାସିଲରେ ଇନ୍ଦ୍ରାବତୀ ନଦୀ ଉପରେ ୧୧୩୯ ହେକ୍ଟର ଜାଗାରେ ୪୪.୯୪ କୋଟି ଟଙ୍କା ବ୍ୟୟରେ ମେଗା ଲିଫ୍ଟ ତିଆରି କରାଯିବ । ଏହି ପ୍ରକଳ୍ପ ନିହାତି ଭାବରେ କଳାହାଣ୍ଡି ଚାଷୀଙ୍କ ଦୁଃଖ ଦୂର କରିବ ଏବଂ ଚାଷୀଙ୍କୁ ପାଣି ଯୋଗାଇବ ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିବା ବେଳେ ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର କେସିଙ୍ଗା ଓ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଲାଞ୍ଜିଗଡ଼ ଥୁଆମୂଳ ରାମପୁର ବ୍ଲକର କୃଷକମାନେ ଉପକୃତ ହେବେ । ଏଥି ସହିତ ଏହାର ମାଇକ୍ରୋ ଜଳ ସେଚନ ସୁବିଧା ଉପଯୋଗ କରି ପାରମ୍ପରିକ ଧାନ ଫସଲ ବଦଳରେ ଅର୍ଥକାରୀ ଫସଲ ଅମଳ କରିବାକୁ ଉତ୍ସାହିତ ହେବେ । ଉକ୍ତ ପ୍ରକଳ୍ପଟି ସ୍ଥାନୀୟ ଚାଷୀମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ ବୋଲି ସ୍ଥାନୀୟ ବିଧାୟକ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.