ଯଶୋଦା ଆକ୍ରମଣରେ ମୃତ ସୁଦର୍ଶନଙ୍କ ପରିବାରକୁ ଦିଆଯିବ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି

Published By : Prameya-News7 Bureau | November 08, 2018 IST

ଅନୁଗୋଳ ୮|୧୧:  ଅନୁଗୋଳ ପୁରୁଣାକୋଟ ରେଞ୍ଜ୍ ରେ କୁଂକୀ ହାତୀ ଯଶୋଦାର ଆକ୍ରମଣରେ ମୃତ୍ୟୁବରଣ କରିଥିବା ୪୯ବର୍ଷ ବୟସ୍କ ସୁଦର୍ଶନ ପ୍ରଧାନ ଓରଫ ସୁଦୁରୁଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଅନୁଗୋଳ ଡିଏଫଓ ଏହି ଘୋଷଣା କରିବା ସହ ମୃତକଙ୍କ ପରିବାରକୁ ତୁରନ୍ତ ୪୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଅନୁଗୋଳ ଡିଏଫଓଙ୍କ ସୂତ୍ରରୁ ଜଣାପଡିଛି ଯେ ଆଜି ଦିନ ୧୧ଟା ୪୫ବେଳକୁ କୁଂକୀ ହାତୀ ଯଶୋଦାକୁ ପୁରୁଣାକୋଟର ନନ୍ଦିନୀ ନାଳ ପାଖରେ ଖାଇବାକୁ ଦେବା ଲାଗି ବନ୍ଧା ଯାଇଥିଲା । ମାହୁନ୍ତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେହି ରାସ୍ତା ଦେଇ ଫେରୁଥିବା ସୁଦୁରୁ ହାତୀକୁ ଦେଖି ଉତ୍ସାହିତ ହୋଇ ତାକୁ କଦଳୀ ଗଛ ଆଣି ଖାଇବାକୁ ଦେଉଥିଲେ । ସେଠାରେ ଉପସ୍ଥିତ ଥିବା ମାହୁନ୍ତଙ୍କ ବାରଣକୁ ମଧ୍ୟ ସେ ଶୁଣିନଥିଲେ । ସୁଦୁରୁଙ୍କଠାରୁ କଦଳୀ ଗଛ ଟାଣି ନେବାବେଳେ ନିଜେ ସୁଦୁରୁ ଟାଣି ହୋଇ ହାତୀ ପାଖକୁ ଚାଲିଯାଇଥିଲେ । ଆଉ ହାତୀ ତାଙ୍କୁ ଦଳି ଦେଇଥିଲା । ସୁଦୁରଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ଅଣାଯାଇଛି । ସୁଦୁରୁଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ବାଘୁଣୀ ସୁନ୍ଦରୀ ଧରିବା ଅପରେସନ ପାଇଁ ଚନ୍ଦକାରୁ ଯଶୋଦାକୁ ସାତକୋଶିଆ ନିଆଯାଇଥିଲା । ଯଶୋଦା ପିଠିରେ ବସି ହିଁ ବିଶେଷଜ୍ଞ ଦଳ ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିଥିଲେ । ସୁନ୍ଦରୀକୁ ଧରିବା ଅପରେସନ ସରିବା ପରେ ଦିନେ ଦୁଇ ଦିନ ଭିତରେ ଯଶୋଦାକୁ ଚନ୍ଦକା ଅଣାଯାଇଥାନ୍ତା । କିନ୍ତୁ ଆଜି ଅନୁଗୋଳ ପୁରୁଣାକୋଟ ରେଞ୍ଜ୍ ରେ ଏହି ଅଘଟଣ ଘଟିଛି । ସୂଚନାଯୋଗ୍ୟ ଯେ, ଚନ୍ଦକାର କୁଂକୀ ହାତୀ ଯଶୋଦା ଓ ତାର ପୁଅ ନନ୍ଦ ଉଭୟ ସାତକୋଶିଆ ଯିବାର ଥିଲା । କିନ୍ତୁ ନନ୍ଦ ଟ୍ରକରେ ଚଢିନଥିଲା ଓ ଅମାନିଆ ହୋଇଥିଲା । ଫଳରେ କେବଳ ଯଶୋଦାକୁ ସାତକୋଶିଆ ନିଆଯାଇଥିଲା । ପୂର୍ବରୁ ମଧ୍ୟ ୨ଜଣ ମାହୁନ୍ତଙ୍କୁ ଯଶୋଦା ଚନ୍ଦକାରେ ଦଳି ମାରିଥିବା ବଦନାମ ତା ନାଁରେ ରହିଛି । ଯଶୋଦାର ବୟସ ପାଖାପାଖି ୩୦ବର୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.