ନୂଆଦିଲ୍ଲୀ, ୧୨/୦୮: ଟ୍ରେନ୍ ଟିକେଟ୍ କ୍ୟାନ୍ସଲ୍ କରିବା ଜଣେ ବ୍ୟକ୍ତିଙ୍କୁ ଭାରି ପଡ଼ିଛି। ଟିକେଟ୍ କ୍ୟାନ୍ସଲ୍ କରିବାକୁ ଯାଇ ହରାଇବାକୁ ପଡ଼ିଛି ୪ ଲକ୍ଷ ଟଙ୍କା। ପ୍ରକୃତରେ କୋଝିକୋଡ ଭଣ୍ଡିପେଟ୍ଟାର ଏମ.ମୋହମ୍ମଦ ବଶୀର (୭୮) ଆଇଆରସିଟିସି ଓ୍ବେବସାଇଟ୍ ଦ୍ବାରା ଟ୍ରେନ୍ ଟିକେଟ୍ କ୍ୟାନ୍ସଲ୍ କରିବା ସମୟରେ ଠକେଇର ଶିକାର ହୋଇଥିଲେ। ଆଉ ତାଙ୍କୁ ୪ଲକ୍ଷ ଟଙ୍କା ହରାଇବାକୁ ପଡ଼ିଥିଲା। ଏହି ଘୋଟାଲାରେ ଏକ ମିଥ୍ୟା ଓ୍ବେବସାଇଟ୍ ଏବଂ ନିଜକୁ ରେଳବାଇ କର୍ମଚାରୀ କହୁଥିବା ଜଣେ ବ୍ୟକ୍ତି ସାମିଲ୍ ଥିଲେ।
ଏକ ରିପୋର୍ଟ ଅନୁଯାୟୀ, ବଶୀର ଅନଲାଇନ୍ରେ ଟିକେଟ୍ କ୍ୟାନସଲ କରିବାକୁ ଚାହିଥିଲେ। କିନ୍ତୁ ଫୋନ୍ରେ ଏକ ମିଥ୍ୟା ଓ୍ବେବସାଇଟ୍କୁ ଚାଲିଯାଇଥିଲେ। ଯାହା ତାଙ୍କ ପାଇଁ ଏକ ମସ୍ତବଡ଼ ଭୁଲ୍ ସାବ୍ୟସ୍ତ ହୋଇଥିଲା। ତେବେ ଏହାପରେ ନିଜକୁ ରେଳବାଇ କର୍ମଚାରୀ କହୁଥିବା ଜଣେ ବ୍ୟକ୍ତି ଫୋନ୍ରେ ତାଙ୍କ ବଶୀରଙ୍କ ସହ ସଂପର୍କ କରିଥିଲେ।
ଏହି ବ୍ୟକ୍ତି ଇଂରାଜୀ ଏବଂ ହିନ୍ଦିରେ କଥା ହୋଇ ବଶୀରକୁ ଫସାଇବାରେ ସଫଳ ହୋଇଥିଲା। ଏହା ପରେ ସେ ବଶୀରଙ୍କୁ କିଛି ନିର୍ଦ୍ଦେଶ ଦେଇଥିଲା। ଆଉ କିଛି ଟାଇପ୍ କରିବାକୁ କହିଥିଲେ। ଏମିତି କରିବା ପରେ ତାଙ୍କ ଡିଭାଇସ୍ର କଣ୍ଟ୍ରୋଲ ଠକଙ୍କ ପାଖରେ ପହଞ୍ଚିଯାଇଥିଲା। ଏହା ବ୍ୟତୀତ ବଶୀର ନିର୍ଦ୍ଦେଶାନୁସାରେ ନିଜ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍ ଏବଂ ଏଟିଏମ କାର୍ଡ ନମ୍ବର ମଧ୍ୟ କହିଥିଲେ।
ଆହୁରି ପଢ଼ନ୍ତୁ: ୟୁଜର୍ସଙ୍କୁ ସତର୍କ କରାଇଲା IRCTC, ଛୋଟିଆ ଭୁଲରେ ଖାଲି ହୋଇଯିବ ଆକାଉଣ୍ଟ
ବଶୀରଙ୍କୁ ଘୋଟାଲାର ସନ୍ଦେହ ସେତେବେଳେ ହୋଇଥିଲା ଯେତେବେଳେ ତାଙ୍କୁ ଏକ ମେସେଜ ମିଳିଥଲା ଯେ ତାଙ୍କର ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ତରତରରେ ସେ ବ୍ୟାଙ୍କ୍ ଶାଖାରେ ପହଞ୍ଚିଥିଲେ । କିନ୍ତୁ ସେତେବେଳେକୁ ତାଙ୍କର ଫିକ୍ସ ଡିପୋଜିଟ୍ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଉଠାଯାଇସାରିଥିଲା।
ଠକମାନେ ତିନିଟି ଭିନ୍ନ ଭିନ୍ନ ନମ୍ବରରେ ତାଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରଥମ ଥର ଯେତେବେଳେ ଆକାଉଣ୍ଟରୁ ଟଙ୍କା କଟିଥିଲା ସେ ବ୍ୟାଙ୍କ୍ ସହ ଯୋଗାଯୋଗ କରିବାକୁ ଚାହିଥିଲେ କିନ୍ତୁ ତାଙ୍କୁ ଠକ ଏଭଳି କରିବାକୁ ଦେଇନଥିଲେ। ଏହାପରେ ସେ ଡାଟା ବ୍ରିଚ୍କୁ ରୋକିବାକୁ ନିଜ ଫୋନ୍କୁ ଫର୍ମାଟ୍ କରିଦେଇଥିଲେ ଏବଂ ଘଟଣାର ସୂଚନା ବ୍ୟାଙ୍କ୍ ଏବଂ ପୋଲିସ୍ର ସାଇବର ସେଲ୍କୁ ଦେଇଥିଲେ।
ପୋଲିସ୍ର ସାଇବର ସେଲ୍ର ଯାଞ୍ଚରୁ ଜଣାପଡ଼ିଥିଲା ଯେ ‘ରେଷ୍ଟ ଡେସ୍କ’ ନାମକ ଆପ୍ ଡାଉନଲୋଡ୍ କରିବା ଫଳରେ ସ୍କାମରଙ୍କୁ ତାଙ୍କ ଫୋନ୍ର ଆକ୍ସେସ ମିଳିଥିଲା। ଆଉ ଚାରି ଥରରେ ଟଙ୍କା କଢ଼ାଯାଇଥିଲା, ଯେଉଁଥିରେ କଲିକତାରୁ ୪,୦୫,୯୧୯ ଟଙ୍କା ଡେବିଟ୍ କରାଯାଇଥିଲା।