CISF ଯବାନଙ୍କ ଗୁଳିରେ ୪ ମୃତ, କୋଇଲା ଚୋରି କରିବାକୁ ଆସିଥିବା ବେଳେ ଗୁଳିମାଡ଼ ହୋଇଥିବା ଅଭିଯୋଗ

Published By : Prameya-News7 Bureau | November 20, 2022 IST

ଧନବାଦ: CISF ଗୁଳିରେ ୪ ଯୁବକଙ୍କ ମୃତ୍ୟୁ । ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଝାରଖଣ୍ଡ ଧନବାଦ ଜିଲ୍ଲା କତରାସ ସ୍ଥିତ ବାଘମରା ଥାନା ଅନ୍ତର୍ଗତ ବ୍ଲକ-୨ ବେନିଡିହୀ ସାଇଡିଂରେ ଶନିବାର ଏହି ଦୁର୍ଘଟଣା ଘଟିଛି। ମୃତକମାନେ କୋଇଲା ଚୋର ବୋଲି କୁହାଯାଉଛି।

ଘଟଣାରେ ମୃତ୍ୟୁ ହୋଇଥିବା ୪ ଯୁବକଙ୍କ ପରିଚୟ ମିଳିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଶହୀଦ ନିର୍ମଳ ମହତୋ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଅଣାଯାଇଛି। ମୃତକମାନେ ହେଲେ- ତେଲୋଟାଣ୍ଡ ନିବାସୀ ପ୍ରୀତମ ଚୌହ୍ୱାନ, ସଜ୍ଜାଦ ଖାନ, ଶାହଜାଦ ଖାନ ଓ ଅତାଉଲ ଅନ୍‌ସାରୀ। ଏମାନଙ୍କର ବୟସ ୨୦-୨୫ ଭିତରେ ହେବ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ବେରୋଜଗାରୀ କାରଣୁ ଏମାନେ କୋଇଲା ଚୋରି କରୁଥିଲେ। ଘଟଣାରେ ଆହତ ହୋଇଥିବା ଯୁବକଙ୍କ ପରିବାରର ଆର୍ଥିକ ସ୍ଥିତି ବି ଅତି ଗମ୍ଭୀର ଥିବା ଜଣାପଡ଼ିଛି।

ସୂଚନା ଥାଉକି ଖଣୀରୁ କୋଇଲା ଉତ୍ପାଦନ ହେବା ପରେ ଏହି ବେନିଡିହୀ ସାଇଡିଂରେ ଠୁଳ କରାଯାଇଥାଏ। ଏହିଠାରୁ ହିଁ ଲୋଡିଂ ହୋଇଯାଇଥାଏ। ଶନିବାର ରାତିରେ ଯୁବକମାନେ ବାଇକ୍‌ରେ ଆସି କୋଇଲା ଚୋରି କରିବାକୁ ଲୋଡିଂ ପଏଣ୍ଟରେ ଆସି ପହଞ୍ଚିଥିଲେ। ହେଲେ CISF ଯବାନମାନେ ଏମାନଙ୍କୁ ରୋକିବାରୁ ଯୁବକମାନେ ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ। ଯବାନଙ୍କ ହାତରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରିଥିଲେ ବୋଲି CISF ଅଭିଯୋଗ କରିଛି। ଏହାପରେ ପଥରମାଡ଼ ହେବା ପରେ ଉଭୟ ପକ୍ଷରୁ ଗୁଳିକାଣ୍ଡ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ଏଫ୍‌ଆଇର୍ ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏସ୍‌ଆଇଟି ଗଠନ କରାଯାଇ ତଦନ୍ତ କରାଯିବ ବୋଲି ଏସ୍‌ଏସ୍‌ପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.