ଦୁର୍ଘଟଣା ପରେ ଜଳିଗଲା ଟେସଲା କାର୍‌, ୪ ଭାରତୀୟ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | October 25, 2024 IST

ଟରଣ୍ଟୋ: ଦ୍ରୁତ ଗତିରେ ଆସୁଥିବା ଟେସଲାର ଇଲେକ୍ଟ୍ରିକ୍ କାର୍ ଡିଭାଇଡରରେ ପିଟିହେବା ପରେ ୪ ଜଣଙ୍କ ଜୀବନ ଚାଲିଯାଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପ୍ରଚଣ୍ଡ ବିସ୍ଫୋରଣ ପରେ କାରଟିରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ କାରରେ ଥିବା ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସମସ୍ତ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଅଭାବନୀୟ ଘଟଣା ଘଟିଛି କାନାଡାରେ। ସବୁଠୁ ବଡ଼ କଥା ହେଲା, ମୃତକ ମାନେ ହେଲେ ୪ ଭାରତୀୟ।

ମୃତକ ହେଲେ କେଟା ଗୋହିଲ ଏବଂ ତାଙ୍କ ଭାଇ ନୀଲ ଗୋହିଲ। ଅନ୍ୟ ଦୁଇ ମୃତକଙ୍କୁ ପୋଲିସ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଉଭୟ ମୃତ ଭାଇ ଗୁଜୁରାଟର ଗୋଡ୍ରା ବାସିନ୍ଦା। 

ପୋଲିସର ସୂଚନାନୁସାରେ, କାରଟି ଟେସଲା କମ୍ପାନିର ଥିଲା, ପ୍ରାଥମିକ  ତଦନ୍ତରୁ ଜଣାପଡିଛି ଯେ ଏହାର ବ୍ୟାଟେରୀରେ ନିଆଁ ଲାଗିଯାଇଥିଲା, ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା। ପୋଲିସର ସୂଚନାନୁସାରେ, କାରଟି ସେଲ୍ଫ-ଡ୍ରାଇଭ ମୋଡରେ ଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ଘଟଣା ସ୍ଥଳରେ ସ୍ଥାପିତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି।

କାନାଡା ପୋଲିସର ସୂଚନାନୁସାରେ, ଏହି ଦୁର୍ଘଟଣା ଟରଣ୍ଟୋ ନିକଟରେ ଘଟିଛି। ପୋଷ୍ଟମର୍ଟମ ପାଇଁ ସମସ୍ତ ଚାରିଟି ମୃତଦେହକୁ ସୁରକ୍ଷିତ ରଖାଯାଇଛି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଘଟଣାସ୍ଥଳର ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ବିସ୍ଫୋରଣ ପରେ ଚଳନ୍ତା କାରରେ ନିଆଁ ଲାଗିଯାଇଥିଲା।

କାରଟି ନିଆଁକୁ ଆୟତ୍ତ କରିବା ପାଇଁ ଲୋକମାନେ ଚେଷ୍ଟା କରିଥିଲେ। ଜଣେ ବାଇକ୍ ଆରୋହୀ ମଧ୍ୟ କାରର ଗ୍ଲାସ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଏତେ ଶକ୍ତିଶାଳୀ ଥିଲା ଯେ ଏହା ଗ୍ଲାସ ଭାଙ୍ଗି ହୋଇପାରିନଥିଲା। ଏହା ପରେ ଯାତ୍ରୀମାନେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସମସ୍ତ ଚାରି ଜଣ ନିଆଁରେ ପୋଡି ହୋଇଯାଇଥିଲେ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.