ମୋଦୀଙ୍କ ବାରଣାସୀ କାର୍ଯ୍ୟାଳୟ ବିକ୍ରି ଲାଗି OLXରେ ଦେଇଥିଲେ ବିଜ୍ଞାପନ, ୪ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | December 18, 2020 IST

ବନାରସ୧୮।୧୨: ସୋସିଆଲ ମିଡିଆ ଓ ଇଣ୍ଟରନେଟ୍‌ରେ ଲୋକଙ୍କ ଦୁଷ୍ଟାମୀ କିଛି ନୂଆ କଥା ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ସ୍ଥିତ କାର୍ଯ୍ୟାଳୟ ବିକ୍ରି ଲାଗି କିଣାବିକା ୱେବସାଇଟ୍‌ ଓଏଲଏକ୍ସରେ କରାଯାଇଥିବା ପୋଷ୍ଟ ଉପରେ ପୋଲିସ ଆକ୍ସନ ନେଇଛି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।

କାର୍ଯ୍ୟାଳୟ ବିକ୍ରି ପୋଷ୍ଟ ଚର୍ଚ୍ଚାର ବିଷୟ ପାଲଟିଥିଲା । ପୋଷ୍ଟରେ ମୋଦୀଙ୍କ କାର୍ଯ୍ୟାଳୟ ଫଟୋ ଲଗାଯାଇଥିବା ବେଳେ ମୂଲ୍ୟ ମଧ୍ୟ ନିର୍ଦ୍ଧାରିତ କରାଯାଇଥିଲା। ଏହି ପୋଷ୍ଟ ଭାଇରାଲ ହେବା ପରେ ଓଏଲଏକ୍ସ ଗୁରୁବାର ଏହାକୁ ପେଜରୁ ହଟାଇ ଦେଇଥିଲା।

ବିକ୍ରେତା ନିଜକୁ ଲକ୍ଷ୍ମୀକାନ୍ତ ଓଝା ନାମରେ ଏହି ପୋଷ୍ଟ କରିଥିଲେ। ବିଜ୍ଞାପନରେ ବିକ୍ରିଯୋଗ୍ୟ ଗୃହର ବିଶେଷତାରେ ଘରଟି ଉତ୍ତର-ପୂର୍ବ ମୁହାଁ ହୋଇଥିବା ବେଳେ ଦ୍ୱିତଳ ଓ ଏଥିରେ ୨ଟି କାର ପାର୍କିଂ ଥିବା ଉଲ୍ଲେଖ ଥିଲା। ସେହିପରି ଘରେ ୪ଟି ବେଡରୁମ ସାଙ୍ଗକୁ ଅନ୍ୟ ସୁବିଧା ସୁଯୋଗ ନେଇ ମଧ୍ୟ ବିସ୍ତୃତ ବିବରଣୀ ଦିଆଯାଇଥିଲା। ଘରଟି ବାରଣାସୀ ଜବାହାରନଗର ଏକ୍ସଟେନସନ୍‌ରେ ଥିବା ଉଲ୍ଲେଖ ଥିଲା। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀର କାର୍ଯ୍ୟାଳୟ ବୋଲି ଜଣାପଡିଥିଲା।

୬ହଜାର ୫୦୦ ବର୍ଗଫୁଚର ଦୁଇ ମହଲା ଘର ପ୍ରକଳ୍ପକୁ ବିକ୍ରେତା ‘ପିଏମଓ କାର୍ଯ୍ୟାଳୟ ବାରଣାସୀ’ ନାମକରଣ ମଧ୍ୟ କରିଥିଲେ। ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଶୁକ୍ରବାର ୪ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ, ଏହି ୪ ଯୁବକ କାର୍ଯ୍ୟାଳୟର ଫଟୋ ଉଠାଇ ଓଏଲଏକ୍ସରେ ଦେଇଥିଲେ । ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ଏବେ ସେମାନଙ୍କୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.