ମଧ୍ୟପ୍ରଦେଶ ୩୦/୧୦: ବାନ୍ଧବଗଡ ଟାଇଗର ରିଜର୍ଭରୁ ୪ ହାତୀଙ୍କ ମୃତଦେହ ଠାବ । ୫ ହାତୀଙ୍କ ଅବସ୍ଥା ଗୁରୁତର । ୧୩ ଟିକିଆ ହାତୀପଲରେ ସାମିଲ ଥିବା ଅନ୍ୟ ୪ଟି ହାତୀ ସୁସ୍ଥ ଥିବା ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ପ୍ରକୃତ କାରଣ । ଟାଇଗର ରିଜର୍ଭରେ ପାଟ୍ରୋଲିଂ କରୁଥିବା ଜଣେ ଫରେଷ୍ଟ ଗାର୍ଡ ୪ ହାତୀ ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଟାଇଗର ରିଜର୍ଭର ସମସ୍ତ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଏହି ସମୟରେ ଅନ୍ୟ ୫ ହାତୀଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବା ଜଣାପଡିଛି ।
ହାତୀମାନେ କିଛି ବିଷାକ୍ତ କିମ୍ବା ନାର୍କୋଟିକ ଯୁକ୍ତ ପଦାର୍ଥ ଖାଇଦେଇଥିବା ସନ୍ଦେହ କରାଯାଉଛି । ମୃତ ହାତୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ସେପଟେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଅସୁସ୍ଥ ହାତୀଙ୍କ ଚିକିତ୍ସା କରିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଏହି ଡାକ୍ତରୀ ଟିମ୍ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ବିଶେଷଜ୍ଞମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ସେପଟେ ସୁସ୍ଥଥିବା ଅନ୍ୟ ୪ଟି ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି ।