ପାଟନା, ୨୭/୦୮: ବିହାରର ଚମ୍ପାରଣ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆକରି ତିଆରି କରାଯାଉଥିବା ଏକ ପାଇଖାନା ଟିଙ୍କି ଭିତରେ ଅମ୍ଳାଜାନ ଅଭାବରୁ ଏପରି ଘଟଣା ଘଟିଛି । ଟାଙ୍କି ଭିତରେ ପଶିଯାଇଥିବା ଗୋଟିଏ ୬ ବର୍ଷର ଶିଶୁକୁ ବଞ୍ଚାଇବାକୁ ଯାଇ ୪ ଜଣ ଲୋକ ପ୍ରାଣହରାଇଛନ୍ତି ।
ସ୍ଥାନୀୟ ପୋଲିସ୍ ମୁତାବିକ, କୋଟୱା ବ୍ଲକ ଅନ୍ତର୍ଗତ ଅହିରାଉଲି ପଞ୍ଚାୟତରେ ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ସନ୍ଧ୍ୟା ପାଖାପାଖି ୬.୩୦ ସମୟରେ, ଅମିତ୍ କୁମାର ନାମକ ୬ ବର୍ଷର ଶିଶୁ ନୂଆ ପାଇଖାନା ଟାଙ୍କିରେ ଅସାବଧାନତା ବଶତଃ ପଡ଼ିଯାଇଥିଲା । ତାକୁ ଉଦ୍ଧାର କରିବାକୁ ସେ ଟାଙ୍କି ଭିତରେ ୪ ଜଣ ଲୋକ ପଶିଥିଲେ । ପରେ ସେମାନଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏନେଇ ଥାନା ଅଧିକାରୀ ନୀତିନ କୁମାର ସୂଚନା ଦେଇଛନ୍ତି ।
ପ୍ରଥମେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଦୁଇଜଣଙ୍କୁ ସଙ୍ଗେସଙ୍ଗେ ମୃତ ଘୋଷଣା କରିଥିବା ବେଳେ ଆଉ ଦୁଇଜଣଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସେହି ଗ୍ରାମର ରାଜୁ ପଣ୍ଡିତ, ବିଗୁ ସାହ, ରାହୁଲ୍ କୁମାର ଏବଂ ମୁକେଶ କୁମାର ।
ତେବେ ୬ ବର୍ଷର ଶିଶୁଟିର ଅବସ୍ଥା ଏବେ ଗୁରୁତର ରହିଛି । ତାକୁ ଏକ ବେସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ମୃତଦେହଗୁଡ଼ିକୁ ଶବ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।