ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ : ୨ ଗୁରୁତର

Published By : Prameya-News7 Bureau | May 04, 2020 IST

ରତଲାମ ୦୪/୦୫ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ବିଷାକ୍ତ ମଦ ପିଇ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇ ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି | ରତଲାମ ଜିଲ୍ଲାର ପୋଲିସ ଅଧିକ୍ଷକ ଗୌରବ ତିୱାରୀ ସୂଚନା ଦେଇଛନ୍ତି ଯେ, ରାଣୀବର ଓ ରବିବାର ଦିନ ମଦ ପିଇ ୬ଜଣ ଅବସ୍ଥା ଗମ୍ଭୀର ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି | 

ବିଷାକ୍ତ ମଦ ପିଇବା ପରେ ଏମାନଙ୍କୁ ବାନ୍ତି ହୋଇଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଏମାନେ ହସ୍ପିଟାଲକୁ ଯାଇଥିଲେ | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଅଧିକ୍ଷକ ଜିଲ୍ଲା ଅଧିକାରୀଙ୍କ ସହ ପୀଡିତଙ୍କ ଗାଁକୁ ଯାଇ ପୀଡିତଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ | ପୋଲିସ ଅଧିକ୍ଷକ ଗୁରୁତର ଦୁଇଜଣଙ୍କ ସହ ହସ୍ପିଟାଲକୁ ଯାଇ ପଚରାଉଚୁରା କରିଥିଲେ | 

ପୋଲିସ ସୂଚନା ଅନୁଯାୟୀ, ଭଡ଼ବାସା ଗାଁର ୩ ଜଣ ମେ ୧ ତାରିଖ ରାତିରେ ନିଜ ଘର ବାହାରେ ବସି ମଦ ପିଇଥିଲେ | ନିକଟସ୍ଥ ଗାଁ ପଞ୍ଚେଡ଼ରେ ମଧ୍ୟ ୩ ଜଣ ମେ ୧ ତାରିଖ ଅପରାହ୍ନରେ ନିଜ କ୍ଷେତରେ ବସି ମଦ ପିଇଥିଲେ | ମଦ ପିଇବା ପରେ ଏମାନଙ୍କୁ ବାନ୍ତି ହୋଇଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ଏହାପରେ ଏମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା | ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଛି | ମୃତକମାନେ ହେଲେ ଋତୁରାଜ ସିଂହ(୩୫), ବିକ୍କୀ ସିଂହ (୨୧), ଜୟସିଂହ ସିଂହ(୨୬) ଓ ଅର୍ଜୁନ ନାଥ(୨୨) | ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ପୋଲିସ ଘଟଣାର ତଦନ୍ତ ଜାରି ରଖିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.