ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ, ୧୩ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ

Published By : Prameya-News7 Bureau | December 20, 2021 IST

ଭୁବନେଶ୍ବର ୨୦।୧୨: ଦାରିଙ୍ଗବାଡି ଓଡ଼ିଶାର ଥଣ୍ଡା ସହର । ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୪ ଡ଼ିଗ୍ରୀ । ଏହା ବ୍ୟତୀତ ୧୩ଟି ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ କରାଯାଇଛି । ଦାରିଙ୍ଗବାଡିରେ ୪.୦ ଡ଼ିଗ୍ରୀ, ଝାରସୁଗୁଡାରେ ୫.୬ ଡ଼ିଗ୍ରୀ, ଫୁଲବାଣୀରେ ୬.୫ ଡ଼ିଗ୍ରୀ, ସୋନପୁରରେ ୬.୯ ଡ଼ିଗ୍ରୀ, କେନ୍ଦୁଝରରେ ୭.୪ ଡ଼ିଗ୍ରୀ ରହିଛି ରାତ୍ରି ତାପମାତ୍ରା ।

ହାଡ଼ଭଙ୍ଗା ଶୀତରେ କମ୍ପୁଛି  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ତୁଷାରପାତ ଦେଖିବାକୁ ପର୍ଯ୍ୟଟକ ଭିଡ ଜମାଇଛନ୍ତି । କାଲୁଆ ପବନ ଥରେଇ ଦେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିକୁ ତାପମାତ୍ରା ଦିନକୁ ଦିନ କମୁଛି । ଓଡ଼ିଶାରେ ଏମିତି ଅଚାନକ ଖସିଯାଇଛି ପାରଦ । ଏପଟେ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳୁଛି । ସକାଳୁ ଉଠିଲା ସମୟରେ ଶୀତର କଷ୍ଟ ଅନୁଭବ କରିବାକୁ ପଡୁଛି । ଆଭ୍ୟନ୍ତରୀଣରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଅଚାନକ ମାଡ଼ି ଆସିଛି ଶୀତର ଶକ୍ତ ପ୍ରବାହ। ରାତି ଓ ସକାଳେ ପଦାକୁ ବାହାରିଲେ ଗୋଡ଼ାଉଛି କାଲୁଆ ପବନ । ଘର ଭିତରେ ବି ଜାଡ଼ ଅସମ୍ଭାଳ । ଗାଁ ଗହଳିରେ କିଏ ନିଆଁ ପୁଆଁଉଛନ୍ତି ଶୀତରୁ ରକ୍ଷା ପାଇବା ପାଇଁ ତ ଆଉ କିଏ ସୂର୍ଯ୍ୟ କିରଣକୁ ଅପେକ୍ଷା କରି ରହୁଛି । ଅସବାଭାବିକ ଭାବେ ଖସିଯାଇଛି ରାତ୍ରି ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ବଢୁଥିବା ବେଳେ ଉପକୂଳକୁ ଅତର୍କିତ ଭାବେ ଧସେଇ ପଶିଛି ଶୀତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.