ଚେନ୍ନାଇରେ ବାତ୍ୟା ମାଣ୍ଡୋସର ତାଣ୍ଡବ, ଚାରି ମୃତ, ଉପୁଡିଲା ୪୦୦ ଗଛ

Published By : Prameya-News7 Bureau | December 10, 2022 IST

ନୂଆଦିଲ୍ଲୀ: ଚେନ୍ନାଇର ମାମଲ୍ଲାପୁରମରେ ଉପକୂଳ ଛୁଇଁବା ପରେ ବାତ୍ୟା ମାଣ୍ଡୋସ ବଡ଼ ତାଣ୍ଡବ ରଚିଛି । ମାମଲ୍ଲାପୁରମରେ ସ୍ଥଳଭାବେ ଅତିକ୍ରମ କରିବା ସମୟରେ ସହରର ଆଖପାଖ ଅଞ୍ଚଳରେ ପ୍ରବଳ କ୍ଷତି କରିଛି । ପ୍ରାରମ୍ଭିକ ସୂଚନା ଅନୁସାରେ ବାତ୍ୟାରେ ୪୦୦ରୁ ଅଧିକ ବଡ଼ ଗଛ ଉପୁଡି ପଡିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଗତକାଲି ମଧ୍ୟ ରାତ୍ରୀରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗ ପବନ ସହ ବାତ୍ୟ ସ୍ଥଳ ଭାଗ ଛୁଇଁଥିଲା ।

ସିଏମ ଷ୍ଟାଲିନ କହିଛନ୍ତି ଯେ ବାତ୍ୟରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ମରୀନା ବିଚ୍ ନିକଟରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ଏହାସହ ଏଠାରେ ଥିବା ଷ୍ଟଲ ଗୁଡିକ କ୍ଷତିଗ୍ରସ୍ତ ହୋଇଛି । ଷ୍ଟାଲିନ କହିଛନ୍ତି, ସରକାର ସ୍ଥିତିର ଅନୁମାନ ଲଗାଇ ସାରିଛନ୍ତି ଏବଂ କ୍ଷତି କମ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ପ୍ରବଳ ପବନ ଯୋଗୁଁ ପ୍ରାୟ ୪୦୦ ଗଛ ଉପୁଡି ଯାଇଛି । ବିଜୁଳି ଖୁଣ୍ଟ ଉପରେ ଗଛ ପଡିବା ଯୋଗୁଁ ବିଜୁଳି ସେବା ବାଧାପ୍ରାପ୍ତ ହୋଇଛି । ବିଜୁଳି ଟ୍ରାନ୍ସଫର୍ମର ମଧ୍ୟ ନଷ୍ଟ ହୋଇଛି । ପ୍ରାୟ ୬୦୦ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ରହିଛି । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୫,୦୦୦ କର୍ମଚାରୀ ନିୟୋଜିତ ଅଛନ୍ତି ।    

ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି ଯେ କ୍ଷତିର ଆକଳନ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ କେନ୍ଦ୍ରୀୟ ସହାୟତା ଲୋଡାଯିବ । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ପ୍ରାୟ ୨୦୫ ବାତ୍ୟା ଆଶ୍ରୟ ସ୍ଥଳରେ ୯,୦୦୦ରୁ ଅଧିକ ଲୋକଙ୍କୁ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.