ପ୍ରଧାନମନ୍ତ୍ରୀଙ୍କ ନାମରେ ଜାଲ୍ ଟ୍ରଷ୍ଟ କରି ଠକେଇ ଉଦ୍ୟମ,୪ ଗିରଫ
31/10/2020 at 5:06 PM

ବନାରସ ୩୧।୧୦: ପ୍ରଧାନମନ୍ତ୍ରୀଙ୍କ ନାମରେ ଆଦର୍ଶ ନରେନ୍ଦ୍ର ଦାମୋଦର ଦାସ ମୋଦି ଜନକଲ୍ୟାଣକାରୀ ଟ୍ରଷ୍ଟ ଗଠନ କରି ଠକେଇ କରୁଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଠକେଇ ଲାଗି ଏମାନେ ଟ୍ରଷ୍ଟକୁ ନିବନ୍ଧକଙ୍କ କାର୍ଯ୍ୟାଳୟରେ ପଞ୍ଜିକରଣ ମଧ୍ୟ କରାଇଛନ୍ତି। ପ୍ରକରଣକୁ ନେଇ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦିଆଯିବା ପରେ ପୋଲିସ ମୋକଦ୍ଦମା ରୁଜୁ କରିଛନ୍ତି।
ମାମଲାରେ ପୋଲିସ ଶୁକ୍ରବାର ଟ୍ରଷ୍ଟର ସଂସ୍ଥାପକ ତଥା ଅଧ୍ୟକ୍ଷ କବୀର ନଗର ଦୁର୍ଗାକୁଣ୍ଡର ଅଜୟ ପାଣ୍ଡେୟ, ତାଙ୍କ କାକା ରବିନ୍ଦ୍ର ନାଥ ପାଣ୍ଡେୟ, ସାଥୀ ଶାହାବାଜ ଖାନ ଓ ଅନ୍ୟଜଣକୁ ଗିରଫ କରିବା ସହ ପଚରାଉଚରା କରିଛି। ଏଥିରେ ଶାହାବାଜ ଓ ରବିନ୍ଦ୍ର ସାମ୍ବାଦିକତା କରୁଥିବା ବେଳେ ଅନ୍ୟମାନଙ୍କ ସମ୍ପର୍କରେ ସୂଚନା ମିଳିପାରି ନାହିଁ।
ଉପ ନିବନ୍ଧକଙ୍କ ଅନୁସାରେ କବୀର ନଗର ଦୁର୍ଗାକୁଣ୍ଡର ଅଜୟ ପାଣ୍ଡେୟ ଗତ ଜୁଲାଇ ୧୪ ତାରିଖ ଦିନ ନକଲି କାଗଜ ପତ୍ରରେ ପ୍ରଧାନମନ୍ତ୍ରୀଙ୍କ ନାମରେ ଟ୍ରଷ୍ଟ ପଞ୍ଜିକରଣ କରାଇଥିଲା। ଏଥିଲାଗି ସେ ମେ ମାସରେ ଆବେଦନ କରିଥିଲେ। ଟ୍ରଷ୍ଟ ପଞ୍ଜିକରଣ ହେବା ପରେ ଅଜୟ ପାଣ୍ଡେୟ ଟ୍ରଷ୍ଟର ଏକ ଲେଟର ହେଡ ତିଆରି କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ମଧ୍ୟ ଥିଲା। ଏହି ଲେଟର ହେଡରେ ଅଜୟ ଜୁଲାଇ ୨୪ ଓ ଜୁଲାଇ ୩୧ ତାରିଖରେ ବନାରସ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦୁଇଟି ପତ୍ର ଲେଖି ଟ୍ରଷ୍ଟ ଅଧିନରେ ଆଦର୍ଶ ନରେନ୍ଦ୍ର ଦାସ ମୋଦି ଅନ୍ତରାଷ୍ଟ୍ରୀୟ ବିଶ୍ୱ ବିଦ୍ୟାଳୟ ସ୍ଥାପନା ନିମନ୍ତେ ବାରଣାସୀ ସହରର କୌଣସି ସ୍ଥାନରେ ୧୯୦ ବିଘା ଭୂମି ଚିହ୍ନଟ ଓ ଆବଣ୍ଟନ ନିମନ୍ତେ ନିବେଦନ କରିଥିଲେ।
ତେବେ ଏହି ସମୟରେ ଅଜୟ ଜୁଲାଇ ୨୯ ତାରିଖରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଆଉ ଏକ ପତ୍ର ମଧ୍ୟ ଲେଖିଥିଲେ। ଯେଉଁଥିରେ ଭୂମି ପ୍ରଦାନ ସମେତ ବିଶ୍ୱାବିଦ୍ୟାଳୟ ନିର୍ମାଣରେ ସହାୟତା ଲାଗି ନିବେଦନ କରିଥିଲେ। ଏଥିରୁ ଟ୍ରଷ୍ଟ ନେଇ ସନ୍ଦେହ ଉପୁଜିବା ସହ ମାଜିଷ୍ଟ୍ରେଟ୍ ମାମଲାର ତଦନ୍ତ ନିମନ୍ତେ ସଦର ସବରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ଅଜୟ ପ୍ରଧାନମନ୍ତ୍ରୀଙ୍କ ନାମରେ ଠକେଇ କରୁଥିବାର ଜଣାପଡିଥିଲା। ଏଥିରେ ଟ୍ରଷ୍ଟର ସଦସ୍ୟମାନେ ବିଧାୟକ ଓ ଅନ୍ୟ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ନିମନ୍ତେ ନିବେଦନ କରିଥିବା ଜଣାପଡିଥିଲା। ମାମଲାରେ ଅନ୍ୟ ଲୋକଙ୍କ ତଲାସ ଜାରି ରଖିଛି ପୋଲିସ।