ହୋଲିରେ ରଙ୍ଗ ଲଗାଇବା ବାହାନାରେ ଜାପାନୀ ଯୁବତୀଙ୍କ ସହ ଅଭଦ୍ରତା ମାମଲା: ଦିଲ୍ଲୀ ପୋଲିସ ଦ୍ୱାରା ୪ ଗିରଫ
11/03/2023 at 5:04 PM

ନୂଆଦିଲ୍ଲୀ ୧୧।୩: ହୋଲିରେ ରଙ୍ଗ ଲଗାଇବା ବାହାନାରେ ଜାପାନୀ ଯୁବତୀଙ୍କ ସହ ଅଭଦ୍ରତା ମାମଲାରେ ଦିଲ୍ଲୀ ପୋଲିସ ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି। ରଙ୍ଗଲଗାଇବା ବେଳେ ଯୁବତୀ ବିରୋଧ କରିଥିଲେ, ତେବେ ତାଙ୍କ କଥା କେହି ଶୁଣି ନଥିଲେ। ଅଭିଯୁକ୍ତମାନେ ଯୁବତୀଙ୍କ ଦେହରେ ରଙ୍ଗଲଗାଇବା ସହ ମୁଣ୍ଡରେ ଅଣ୍ଡା ମଧ୍ୟ ଭାଙ୍ଗିଥିଲେ। ଘଟଣାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିଲ୍ଲୀ ମହିଳା କମିଶନଙ୍କ ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଛି।
ପୋଲିସ ଅନୁସାରେ ଭାଇରାଲ ଭିଡିଓ ଦିଲ୍ଲୀ ପାହାଡଗଞ୍ଜ ଅଞ୍ଚଳର। ତେବେ ଏହି ଭିଡିଓ କେବେକାର ଓ ଏବେ କିପରି ଭାଇରାଲ ହେଉଛି ସେ ନେଇ ବିଶେଷ ତଥ୍ୟ ମିଳିପାରି ନାହିଁ। ହେଲେ ପୋଲିସ ଜାପାନୀ ଦୂତାବାସଙ୍କୁ ପତ୍ର ଲେଖି ପୀଡିତା ଯୁବତୀଙ୍କ ସମ୍ପର୍କରେ ତଥ୍ୟ ମାଗିଛି। ସେହିପରି ଭାଇରାଲ ଭିଡିଓରେ ଦାଖାଯାଉଥିବା ଯୁବକଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି। ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମହିଳା କମିଶନ ମାମଲାର ନିଜ ଆଡୁ ସଜ୍ଞାନ ନେଇ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିଛନ୍ତି।
जितनी बार ये वीडियो देख रही हूँ, उतनी बार खून खौल रहा है। चाहे कुछ हो जाए इनमें से किसी को नहीं छोड़ूँगी, हम सुनिश्चित करेंगे इनमें से एक एक लफ़ंगा सलाख़ों के पीछे पहुँचेगा। pic.twitter.com/ckDKrYry6B
— Swati Maliwal (@SwatiJaiHind) March 10, 2023
ମହିଳା କମିସନ ମାମଲାରେ ପୋଲିସକୁ କାର୍ଯ୍ୟାନୁଷ୍ଠାନର ରିପୋର୍ଟ ତଲବ କରିଛନ୍ତି। ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ଶ୍ୱାତୀ ମାଲିୱାଲ ମାମଲାରେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଯେତେଥର ଏହି ଭିଡିଓ ଦେଖୁଛି ରାଗ ସେତେ ବଢୁଛି। ଯାହା ବି ହୋଇ ଯାଉ ମାମଲାରେ କାହାରିକୁ ଛଡା ଯିବନି। ଲଫଙ୍ଗାକୁ ଜଣଜଣ କରି ହାଜତକୁ ପଠାଯିବ। ମାମଲାର ତଦନ୍ତ କରି ଦିଲ୍ଲୀ ପୋଲିସ ଜଣେ ନାବାଳକ ସମେତ ମୋଟ ୪ ଜଣଙ୍କୁ ଗିରଫ କରିଛି। ସେମାନେ ମଧ୍ୟ ଅପରାଧ ସ୍ୱୀକାର କରିଛନ୍ତି।
ପୋଲିସ ସୂଚନା ଅନୁସାରେ ପୀଡିତା ମହିଳା ନିଜେ ଏହି ଭିଡିଓ ଟ୍ୱିଟ୍ କରିଥିଲେ। ତେବେ ପରେ ଏହାକୁ ହଟେଇ ଦେଇଥିଲେ ଓ ଏବେ ନୂଆକରି ଟ୍ୱିଟ୍ କରିଛନ୍ତି। ପୋଲିସ ସୂଚନା ଅନୁସାରେ ମହିଳା ଏବେ ବାଂଲାଦେଶରେ ଅଛନ୍ତି ଓ ସେ ଶାରୀରିକ ଏବଂ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତେବେ ଦିଲ୍ଲୀରେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସେ ନା ତ ଦିଲ୍ଲୀ ପୋଲିସରେ କୌଣସି ଅଭିଯୋଗ କରିଛନ୍ତି ନା ଦୂତାବାସଙ୍କୁ ଜଣାଇଛନ୍ତି।