ଧନ୍ତେରାସରେ ଜମିଲା ସୁନା ବେପାର ; ରାଜ୍ୟରେ ସାଢ଼େ ଚାରି କ୍ବିଣ୍ଟାଲ୍ ସୁନା ବିକ୍ରି
6/11/2018 at 10:06 AM

ଭୁବନେଶ୍ବର ୬|୧୧: ଧନ୍ତେରାସରେ ଜମିଲା ସୁନା ବେପାର । ରାଜ୍ୟରେ ସାଢ଼େ ଚାରି କ୍ବିଣ୍ଟାଲ୍ ସୁନା ବିକ୍ରି ହୋଇଛି । ରାଜ୍ୟବାସୀ ଆଜି ଗୋଟିଏ ଦିନରେ ପ୍ରାୟ ୧୪୦ କୋଟି ଟଙ୍କାର ସୁନା କିଣିଛନ୍ତି। ଭୁବନେଶ୍ବରରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୩୨ ହଜାର ଟଙ୍କା ପାଖାପାଖି ରହିଥିଲା। ଏହାକୁ ଦେଖିଲେ ରାଜ୍ୟର ଗ୍ରାହକମାନେ ଗୋଟିଏ ଦିନରେ ପ୍ରାୟ ସାଢ଼େ ଚାରି କ୍ବିଣ୍ଟାଲ ସୁନା ବୋହି ନେଇଛନ୍ତି। ସୁନା ମୂଲ୍ୟ ଗତବର୍ଷ ତୁଳନାରେ ପାଖାପାଖି ୨ ହଜାର ଟଙ୍କା ଅଧିକ ଥିଲେ ମଧ୍ୟ ଏହା ବିକ୍ରିକୁ ପ୍ରଭାବିତ କରିପାରି ନାହିଁ। ପାଗ ଅନୁକୂଳ ରହିବା ସହ ଆକର୍ଷଣୀୟ ଅଫର ବିକ୍ରି ବୃଦ୍ଧିରେ ସହାୟକ ହୋଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ପୁରୀ, ବାରିପଦା, ଜୟପୁର, ଢେଙ୍କାନାଳ ଓ ଅନୁଗୁଳ ଆଦି ପ୍ରମୁଖ ସହରର ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ଅପରାହ୍ନରେ ଗହଳି ବଢ଼ିବା ସହିତ ସନ୍ଧ୍ୟାରେ ଏହା ଶୀର୍ଷରେ ପହଞ୍ଚିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେତେକ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।