ଲଗାତର ୩ ଦିନ ହେଲା ଭାରତରେ ଭୂମିକମ୍ପ ଜାରି: ଆଜି ଥରିଲା ସିକ୍କିମ୍‌

Published By : Prameya-News7 Bureau | February 13, 2023 IST

ଗ୍ୟାଙ୍ଗଟକ: ଲଗାତର ୩ ଦିନ ହେଲା ଭାରତର ବିଭିନ୍ନ ରାଜ୍ୟରେ ଭୂମିକମ୍ପ ହେଉଛି। ଶନିବାର ଗୁଜରାଟ କଛରେ ଭୂମିକମ୍ପ ହୋଇଥିବା ବେଳେ ଗତକାଲି ଆସାମ ଓ ଆଜି ସିକ୍କିମ୍‌ରେ ଭୂମିକମ୍ପ ହୋଇଛି।

ସୋମବାର ସକାଳେ ଆସାମରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ନ୍ୟାସ୍‌ନାଲ ସେଣ୍ଟର ଫର୍ ସେସ୍‌ମୋଲୋଜି(ଜାତୀୟ ଭୂବିଜ୍ଞାନ କେନ୍ଦ୍ରର)ରୂ ସୂଚନା ଅନୁସାରେ, ଭୋର .୧୫ ସମୟରେ ୟୁକ୍‌ସୋମ ଉତ୍ତରପଶ୍ଚିମାଞ୍ଚଳରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି।  

ତେବେ ଗତକାଲି ଆସାମର ନାଗାଓଁରେ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୦ ରହିଥିଲା। ଅପରାହ୍ନ ୪.୧୮ ବେଳେ ନାଗାଓଁରେ ଭୂମିକମ୍ପ ହୋଇଥିବା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର(NCS) ସୂଚନା ଦେଇଥିଲା। ୧୦ କିମି ଗଭୀରରେ ଭୂମିକମ୍ପର କେନ୍ଦ୍ର ସ୍ଥଳର ରହିଥିଲା ବୋଲି NCS ଟ୍ୱିଟ୍ କରି କହିଥିଲା।

ସେହିପରି ଶନିବାର ଗୁଜୁରାଟର ସୁରତରେ ୩.୮ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା। ଦିନ ୧୨.୧୫ରେ ଏହି ଭୂମିକମ୍ପ ହୋଇଥିଲା। ସୁରତ ପଶ୍ଚିମ ଦକ୍ଷିଣ ପଶ୍ଚିମ ୨୭ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ ଥିଲା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସେସ୍‌ମୋଲୋଜିକାଲ ରିସର୍ଚ ସୂଚନା ଦେଇଥିଲା। ଏହି ଭୂମିକମ୍ପ ୫.୨ କିମି ଗଭୀରରେ ଉତ୍ପନ ହୋଇଥିଲା ବୋଲି ISR କହିଥିଲା। ତେବେ ଏଥିରେ ସହରର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।     

ନିକଟରେ ଆଇଆଇଟିର ଭୂ-ବିଜ୍ଞାନ ପ୍ରଫେସର ଜାଭେଦ ମଲ୍ଲିକ ଶନିବାର ଜାତୀୟ ଗମଣାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଭାରତରେ କିଛି ଅଞ୍ଚଳ ଖୁବ୍‌ଶୀଘ୍ର ୭.୫ ତୀବ୍ରତାର ଭୂମିକମ୍ପ ଝଟକା ସହିବ ବଲି ଚେତାବନୀ ଦେଇଥିଲେ। ଯାହାକୁ ନେଇ ଚିନ୍ତା ବଢ଼ିଯାଇଥିବା ବେଳେ ଭାରତରେ କିଛି ଅଞ୍ଚଳରେ ମୃଦ୍ୟୁ ଭୂମିକମ୍ପ ହେବା ଆରମ୍ଭ ହୋଇଆଇଛି।

ଆଇଆଇଟି କାନପୁରର ଭୂ-ବିଜ୍ଞାନ ପ୍ରଫେସର ଜାଭେଦ ମଲ୍ଲିକ୍ ଅତୀତରେ ଭାରତରେ ହୋଇଥିବା ଭୂମିକମ୍ପ ନେଇ ଦୀର୍ଘଦିନ ଧରି ଗବେଷଣା କରିଆସୁଛନ୍ତି। ଏ ଦିଗରେ ତାଙ୍କର ଗଭୀର ଜ୍ଞାନ ରହିଛି। ଶ୍ରୀ ମଲ୍ଲିକଙ୍କ ସୂଚନା ଅନୁସାରେ, ଖୁବ୍‌ଶୀଘ୍ର ଭାରତର କିଛି ଅଞ୍ଚଳେ ୭.୫ ତୀବ୍ରତାର ଭୂମିକମ୍ପ ହେବ। ଏସବୁ ଅଞ୍ଚଳ ତୁର୍କୀ ଓ ସିରିଆ ଭଳି ପରିସ୍ଥିତି ହେବ ବୋଲି ମିଲ୍ଲିକ କହିଛନ୍ତି।  

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ମଲ୍ଲିକ କହିଛନ୍ତି ” ହିମାଳୟ ପାହାଡ଼ ଗର୍ଭରେ କିମ୍ବା ଆଣ୍ଡାମାନେ ନିକୋବାର ଦ୍ୱୀପପୁଞ୍ଜର ଗହ୍ୱରରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ହୋଇପାରେ। ତେଣୁ ସତର୍କ ରହିବା ଖୁବ୍ ଆବଶ୍ୟକ। ଭୟଙ୍କର ଭୂମିକମ୍ପକୁ ଆଖି ଆଗରେ ରଖି ସବୁ ସ୍ତରରେ ସତର୍କତା ଅବଲମ୍ବନ କରାଯିବା ଉଚିତ୍।”

ପ୍ରଫେସର ମଲ୍ଲିକ ଦୀର୍ଘଦିନ ଧରି ଭାରତର ଭୂମିକମ୍ପପ୍ରବଣ ସ୍ଥାନଗୁଡ଼ିକ ଉପରେ ଅଧ୍ୟୟନ କରିଆସୁଛନ୍ତି। ଭାରତର କଛ, ଆଣ୍ଡାମାନ, ଉତ୍ତରାଖଣ୍ଡରେ ସେ ତାଙ୍କର ଗବେଷଣା ଜାରି ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ ଭୂମିକମ୍ପ ବିପଦରେ ଭାରତକୁ ୫ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ସେଥିମଧ୍ୟରୁ ଜୋନ୍‌-୫ ସର୍ବାଧିକ ବିପଦପ୍ରବଣ ଘେରରେ ରହିଛି ।

ଜୋନ୍-୫ରେ ଗୁଜରାଟର କଛ, ଆଣ୍ଡାମାନ ଓ ନିକୋବାର ଏବଂ ହିମାଳୟ ଅଞ୍ଚଳ ରହିଛି। ସେହିପରି ଜୋନ-୪ରେ ଉତ୍ତର ଭାରତର ହିମାଳୟଅଞ୍ଚଳ ତେରାଇ,ଉତ୍ତର ପ୍ରଦେଶର ବହରାଇଚ୍, ଲଖିମପରୁ, ପିଲିଭିତ, ଗାଜିଆବାଦ, ରୋର୍‌କୀ, ନୈନିତାଲ ରହିଛି। ଜୋନ୍‌-୩ରେ କାନପୁର,  ଲକ୍ଷ୍ନୌ, ପ୍ରୟାଗରାଜ, ବାରଣସୀ, ସୋନଭଦ୍ର ଇତ୍ୟାଦି ରହିଛି।

ତେବେ ଭାରତର ଏହିସବୁ ଅଞ୍ଚଳରେ କାହିଁକି ଭୂମିକମ୍ପ ହେବ ବୋଲି ପ୍ରଶ୍ନ କରିବାରୁ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏହିସବୁ ଅଞ୍ଚଳରେ ଟେକ୍‌ଟନିକ ପ୍ଲେଟ୍‌ ପରସ୍ପର ସହ ଧକ୍କା ହେବ। ଏଥିପାଇଁ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହେବ। ତେଣୁ ଏବେଠୁ ସତର୍କ ରହିବା ନିହାତି ଆବଶ୍ୟକ ବୋଲି ମଲ୍ଲିକ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.