ଗୁଜରାଟରେ ପୁଣି ଭୂମିକମ୍ପ; ୪.୩ ତୀବ୍ର ଝଟ୍କାରେ ଥରିଲା ରାଜକୋଟ୍
26/02/2023 at 6:38 PM

ଗାନ୍ଧୀନଗର: ଗୁଜରାଟରେ ପୁଣି ଭୂମିକମ୍ପ। ରବିବାର ମଧ୍ୟହ୍ନାରେ ଗୁଜରାଟର ରାଜକୋଟ ଜିଲ୍ଲାରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଦିନ ପ୍ରାୟ ୩.୨୧ ବେଳେ ଭୂମିକମ୍ପ ଝଟ୍କା ଲାଗିଥିଲା। ରାଜକୋଟର ଉତ୍ତର ଓ ଉତ୍ତର ପଶ୍ଚିମ(ଏନ୍ଏନ୍ଡବ୍ଲୁ) ୨୭୦ କିମି ଗଭୀରରେ ସଂଗଠିତ ହୋଇଥିବା ଭୂବିଜ୍ଞାନ ସଂସ୍ଥା କହିଛି।
ଏହି ଭୂମିକମ୍ପରେ କ୍ଷୟକ୍ଷତି ନେଇ କୌଣସି ବର୍ତ୍ତମାନ ସୁଧା କୌଣସି ସୂଚନା ମିଳିପାରି ନାହିଁ। ଗତ ସପ୍ତାହରେ ଅମ୍ରେଲି ଜିଲ୍ଲାରେ ୩ ଛୋଟ ଛୋଟ ଭୂମିକମ୍ପ ଦୁଇ ଦିନ ମଧ୍ୟରେ ହୋଇଥିଲା। ଏଥିରେ ମଧ୍ୟ କାହାର କିଛି କ୍ଷତି ହୋଇ ନାହିଁ ବୋଲି ଭୂବିଜ୍ଞାନ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଥିଲା। ତେବେ କେବଳ ଗୁଜରାଟ ନୁହେଁ, ଆସାମ, ସିକ୍କିମ, ଅରୁଣାଚଳ ପ୍ରଦେଶ, ତେଲେଙ୍ଗାନା, ହାଇଦ୍ରାଦ ଓ ଦିଲ୍ଲୀ ସମେତ ଦେଶର କେତେକ ରାଜ୍ୟରେ ମୃଦୁ ଭୂମିକମ୍ପ ହେବାରେ ଲାଗିଛି।
ସୂଚନା ଥାଉକି ଫେବ୍ରୁଆରୀ ୬ ତାରିଖରେ ତୁର୍କୀ-ସିରିଆରେ ହୋଇଥିବା ଭୂମିକମ୍ପ ଦୁଇଟି ଦେଶକୁ ପୂରା ବରବାଦ କରିଦେଇଛି। ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୫୦ ହଜାର ପାର କରିଛି। କେବଳ ତୁର୍କୀରେ ସଂଖ୍ୟା ୪୪ ହଜାରରୁ ଅଧିକ ରହିଥିବା ବେଲେ ସିରିଆରେ ମୃତ୍ୟୁ ସଂଖ୍ୟା ୫ ହଜାରରୁ ଅଧିକ ରହିଛି। ସେହିପରି ହଜାର ହାଜର ଆହତ ଓ ବାସହୀନ ହୋଇଛନ୍ତି।
ତେବେ ତୁର୍କୀ ଯେଉଁଭଳି ଭୂମିକମ୍ପ ଭିଭିଷୀକା ଦେଖିଲା ଭାରତ ମଧ୍ୟ ଖୁବ୍ଶୀଘ୍ର ସେଭଳି ଶକ୍ତିଶାଳୀ ଭୂମିକମ୍ପର ସାମ୍ନା କରିବ ବୋଲି ଭୂ ବୈଜ୍ଞାନିକମାନେ କହିଛନ୍ତି।
ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଜିଓଗ୍ରାଫିକଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍(ଏନଜିଆରଆଇ) ର ମୁଖ୍ୟ ସିସ୍ମୋଲୋଜି ବୈଜ୍ଞାନିକ ଡ. ଏନ୍ ପୂର୍ଣ୍ଣଚନ୍ଦ ରାଓ କହିଛନ୍ତି ଯେ ଭାରତର ଉତ୍ତରାଖଣ୍ଡରେ ସବୁଠାରୁ ବଡ଼ ଭୂମିକମ୍ପ ହେବ।
ଉତ୍ତରାଖଣ୍ଡରେ ନିମ୍ନ ଭୂପୃଷ୍ଠରେ ଶିଳାରେ ବହୁତ କମ୍ପନ ଆସୁଛି। ଏହା ଆଗାମୀ ସମୟରେ କୌଣସି ବଡ ଭୂକମ୍ପର କାରଣ ହୋଇପାରେ। ତେବେ ଏହା କେବେ ହେବ ସେ ନେଇ ନିର୍ଦ୍ଦିଷ୍ଟ ସମୟ କହି ହେବ ନାହିଁ। ଉତ୍ତରାଖଣ୍ଡକୁ ଦୃଷ୍ଟିରେ ରଖି ହିମାଳୟ କ୍ଷେତ୍ରରେ ୮୦ ପ୍ରତିଶତ ସେସ୍ମିକ ଷ୍ଟେସନ ସ୍ଥାପନ କରାଯାଇଛି। ଆମେ ବାସ୍ତବ ସମୟ ଉପରେ ନଜର ରଖୁଥିବା ଡ. ରାଓ କହିଥିଲେ।
ସେହିପରି କେବଳ ଭାରତ ନୁହେଁ, ବ୍ରିଟେନ୍, ଜାପାନ, ଇଣ୍ଡୋନେସିଆ ଓ ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଭୂମିକମ୍ପ ହେବାରେ ଲାଗିଛି। ଗତକାଲି ୩ଟି ଦେଶରେ ଭୂମିକମ୍ପ ହୋଇଛି। ସେଥିମଧ୍ୟରୁ ଜାପାନ ଓ ଇଣ୍ଡୋନେସିଆ ଅନ୍ୟତମ। ତେବେ ଏହି ଦୁଇ ଦେଶରେ ସୁନାମୀ ନେଇ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ।