୩ୟ ଟି-୨୦: ଋତୁରାଜଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆକୁ ଭାରତର ବିଶାଳ ବିଜୟ ଲକ୍ଷ୍ୟ

Published By : Prameya-News7 Bureau | November 28, 2023 IST

ଗୌହାଟୀ: ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ୩ୟ ଟି-୨୦ ମ୍ୟାଚ୍‌ରେ ଗର୍ଜିଲା ଋତୁରାଜଙ୍କ ବ୍ୟାଟ୍। ଖେଳିଲେ ଟି-୨୦ କ୍ୟାରିୟରର ସର୍ବଶ୍ରେଷ୍ଠ ଶତକୀୟ ଇନିଂସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୨ ରନ କରିଛି। ଗାଏକଓ୍ଵାଡ ୫୭ ବଲ୍‌ରୁ ୧୩ ଚୌକା ଓ ୭ ଛକା ସହ ୧୨୩ ରନର ଅପରାଜିତ ବିସ୍ପୋରକ ଇନିଂସ ଖେଳିଛନ୍ତି। ସୂର୍ଯ୍ୟକୁମାର ଯାଦବ ୩୯ ରନ ଓ ତିଳକ ବର୍ମା ଅପରାଜିତ ୩୧ ରନ କରିଛନ୍ତି। ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ଅଛି ୨୨୩ ରନର ବିଜୟ ଲକ୍ଷ୍ୟ। ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୧୪ ରନ ସ୍କୋରରେ ପ୍ରଥମ ଝଟକା ଲାରିଥିଲା। ଯଶସ୍ଵୀ ଜୟସଓ୍ଵାଲ(୬) ଆଉଟ୍ ହୋଇଥିଲେ। ଇନଫର୍ମ ବ୍ୟାଟର ଇଶାନ କିଶନ ଆଜି ଖାତା ଖୋଲି ପାରି ନ ଥିଲେ। ଏହା ପରେ ଋତୁରାଜ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ଦଳର ଇନିଂସକୁ ଆଗକୁ ବଢାଇଥିଲେ। ସୂର୍ଯ୍ୟ ଦ୍ରୁତ ବ୍ୟାଟିଂ କରି ୨୯ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ଋତୁରାଜଙ୍କ ସହ ତୃତୀୟ ଓ୍ଵିକେଟ୍ ପାଇଁ ୫୭ ରନ ଯୋଡ଼ିଥିଲେ।

Image
BCCI

 ଏହା ପରେ ବରସାପରା ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା ଋତୁରାଜଙ୍କ ଉଗ୍ରରୂପ। ତିଳକ ବର୍ମା ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ। ଅର୍ଦ୍ଧଶତକ ହାସଲ ପରେ ଗାଏକଓ୍ଵାଡ ଆହୁରି ଭୟଙ୍କର ବ୍ୟାଟିଂ କରିଥିଲେ। ଚୌକା ଓ ଛକା ବର୍ଷା କରି ସେ କଙ୍ଗାରୁ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ  ଥିଲେ। ଏହି କ୍ରମରେ ଗାଏକଓ୍ଵାଡ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ୫୨ ବଲ୍‌ରୁ ନିଜର ପ୍ରଥମ ଶତକ ପୂରଣ କରିଥିଲେ। ଦୁଇ ବ୍ୟାଟର ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୪୧ ରନ ଯୋଡ଼ିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୨ ରନ କରିଛି। ଗାଏକଓ୍ଵାଡ ୫୭ ବଲ୍‌ରୁ ୧୩ ଚୌକା ଓ ୭ ଛକା ସହ ୧୨୩ ରନରେ ଅପରାଜିତ ଥିଲେ। ତିଳକ ବର୍ମା ମଧ୍ୟ ୩୧ ରନ କରି ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.