ଶନିବାର ତୃତୀୟ ପର୍ଯ୍ୟାୟ ଭୋଟ, ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 24, 2024 IST

ଭୁବନେଶ୍ୱର ୨୪/୦୫: କିଏ  ଦଖଲ କରିବ ସମ୍ବଲପୁର ଲୋକସଭା ଆସନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ପ୍ରଣବ ପ୍ରକାଶ ଦାସ (ବବି) ।  ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ  ବାଜି ମାରିବେ ନା ମନ୍ମଥ ରାଉତରାୟ । କଟକରେ ସଂତୃପ୍ତ ମିଶ୍ର ନା ଭର୍ତ୍ତୃହରି  ମହତାବ । କିଏ ଜିତିବ ଲୋକଙ୍କ ହୃଦୟ ।  

ଚଳିତ ନିର୍ବାଚନରେ ସବୁଠୁ ଚର୍ଚ୍ଚିତ  ସମ୍ବଲପୁର ଲୋକସଭା ସମେତ ୬ଟି  ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି  ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ  ନିର୍ବାଚନ ଶନିବାର ଅନୁଷ୍ଠିତ ହେବ । ଏହି  ପର୍ଯ୍ୟାୟରେ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ  ପରୀକ୍ଷା ହେବ । ସମ୍ବଲପୁର, କେନ୍ଦୁଝର,  ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ୬୪ ଯୋଦ୍ଧା  ମଇଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରୁ  ୫୫ ପୁରୁଷ ଓ ୯ ମହିଳା ପ୍ରାର୍ଥୀ ।  

ସେହିପରି ୪୨ ବିଧାନସଭା ପାଇଁ  ଲଢ଼େଇ କରୁଛନ୍ତି ୩୮୩ ପ୍ରାର୍ଥୀ ।  ସେମାନଙ୍କ ମଧ୍ୟରୁ ୩୩୯ ପୁରୁଷ ଓ  ୪୪ ମହିଳା ପ୍ରାର୍ଥୀ । ମୋଟ ୯୪ ଲକ୍ଷ  ୪୮ ହଜାର ୫୫୩ ଜଣ ମତଦାତା  ଭୋଟ୍‌ ଦେବେ । ଏମାନଙ୍କ ମଧ୍ୟରେ ୪୮  ଲକ୍ଷ ୨୯ ହଜାର ୬୬୦ ପୁରୁଷ ଭୋଟର  ହୋଇଥିବା ବେଳେ ୪୬ ଲକ୍ଷ ୧୭  ହଜାର ୬୦୨ ମହିଳା ଓ ୧୨୯୧ ତୃତୀୟ  ଲିଙ୍ଗୀ ଭୋଟର । ୨ ଲକ୍ଷ ୩୭ ହଜାର  ଭୋଟର ପ୍ରଥମ ଥର ଦେବେ ଭୋଟ୍‌ ।  

ମୋଟ ୧୦୫୫୧ ବୁଥ୍‌ ମଧ୍ୟରୁ ୨ହଜାର  ମଡେଲ୍‌ ବା ଆଦର୍ଶ ବୁଥ୍‌ ରହିଛି । ୨୦  ପ୍ରତିଶତ ସମ୍ବେଦନଶୀଳ ବୁଥ୍‌ ରହିଛି । ଏହି ନିର୍ବାଚନ ପରିଚାଳନା ପାଇଁ ୭୦  ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ନିକୁଞ୍ଜ  ବିହାରୀ ଧଳ ସୂଚନା ଦେଇଛନ୍ତି । ନିର୍ବାଚନ ସମୟରେ ଶାନ୍ତି, ଶୃଙ୍ଖଳା  ପାଇଁ ୧୨୧ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳ (ସିଏପିଏଫ୍‌) ନିୟୋଜିତ  ହେବେ । 

ଷ୍ଟ୍ରଙ୍ଗରୁମ୍‌କୁ ବାଦ୍‌ ଦେଲେ ପ୍ରାୟ  ୨ହଜାର ପୋଲିଂ ଷ୍ଟେସନରେ ଅଧିକ  ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ମୁଖ୍ୟ  ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟରେ ଲଢୁଥିବା  ହେଭିୱେଟ୍‌ ତାଲିକାରେ ଅଛନ୍ତି ବିରୋଧୀ  ଦଳ ନେତା ଜୟନାରାୟଣ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ  ଦାସବର୍ମା, ରୋହିତ ପୂଜାରୀ, ବିଜେପିର  ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ।  

ଲଢ଼େଇ ହେଉଥିବା ଏହି ଆସନଗୁଡିକ  ମଧ୍ୟରୁ ୨୦୧୯ରେ ବିଜେପି ସମ୍ବଲପୁର  ଓ ଭୁବନେଶ୍ୱରରେ ଜିତିଥିଲାବେଳେ କେନ୍ଦୁଝର, ଢେଙ୍କାନାଳ, କଟକ ଓ  ପୁରୀ ଆସନ ବିଜେଡି ଦଖଲରେ ଥିଲା । ସେହିପରି ଏହା ଅନ୍ତର୍ଗତ ୪୨ଟି  ବିଧାନସଭା ଆସନ ମଧ୍ୟରୁ ବିଜେଡି  ୩୪ଟି, ବିଜେପି ୬ ଓ କଂଗ୍ରେସ ୨ଟି  ଆସନ ଅକ୍ତିଆର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.