ତୃତୀୟ ଓଡ଼ିଆ ସିନେ ଆୱାର୍ଡସ: ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ‘ଦମନ’

Published By : Prameya-News7 Bureau | June 21, 2024 IST

ଭୁବନେଶ୍ୱର: ଅନୁଷ୍ଠିତ ହୋଇଯାଇଛି ତୃତୀୟ ଓଡ଼ିଆ ସିନେ ଆୱାର୍ଡସ । ସ୍ଥାନୀୟ ଉତ୍କଳ ମଣ୍ଡପରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା ଅନେକ ଲୋକପ୍ରିୟ ସିନେ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନଙ୍କୁ। 

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଓଡ଼ିଆ ସିନେମା ପ୍ରତି ବିଶିଷ୍ଟ ଅବଦାନ ଯୋଗୁଁ ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ମରଣୋତ୍ତର ଜୀବନବ୍ୟାପୀ ସାଧନା ସମ୍ମାନ ଓ ପ୍ରଯୋଜକ ତଥା ସିନେମାଟୋଗ୍ରାଫର ଯୁଗଳ ଦେବତାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । 


ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଥିଲା । ଦମନ ପାଇଁ ବାବୁସାନ ମହାନ୍ତି ଓ ‘ପୁଷ୍କରା’ ପାଇଁ ସବ୍ୟସାଚୀ ମିଶ୍ରଙ୍କୁ ଯୁଗ୍ମ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ସେହିଭଳି ମାଲ୍ୟଗିରି ସିନେମାରେ କଣ୍ଠଦାନ କରିଥିବା ବାବୁସାନଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମିଳିଥିଲା । 

ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଉଭୟ ଦିବ୍ୟାଦିଶା ମହାନ୍ତି ଓ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସୁଶାନ୍ତ ମଣି, ଶିଶିର ସାହୁ ଓ ପିନାକୀ ସିଂହଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ମିଳିଥିଲା । ନବାଗତ ଅଭିନେତା ଭାବେ ଶୈଳେନ୍ଦୁ ସାମନ୍ତରାୟ, ରୋହନ ଗର୍ଗ, ନବାଗତ ଅଭିନେତ୍ରୀ ଭାବେ ଏର୍ଲିନ ଅଙ୍କିତା ଓ ତନୁଶ୍ରୀ ଦାସ, ପ୍ରିୟମ୍ବଦା ସ୍ୱାଇଁ ଓ ଦୀପା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା । 

ନବାଗତ ନିର୍ଦ୍ଦେଶକ ଭାବେ ପ୍ରତୀକ୍ଷା ଫେମ୍‌ ଅନୁପମ ପଟ୍ଟନାୟକ ଓ ଶୁଭ୍ରାଂଶୁ ଦାସ ସମ୍ମାନିତ ହୋଇଥିଲେ । ଏହିପରି ସଙ୍ଗୀତ, କାହାଣୀ, କମେଡି ଆଦି ୭୫ଟି ବର୍ଗରେ ଶ୍ରେଷ୍ଠ କଳାକାରଙ୍କୁ ପୁରସ୍କାର ଦିଆଯାଇଥିଲା । ରିଲ୍ସ ଆଣ୍ଡ ରିଲ୍ସ ଓ ଅନିସ ଏଣ୍ଟରଟେନମେଣ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଏଲିନା, ପୁଷ୍ପା ପଣ୍ଡା, ମେଘନା, ଅରୁଣ ମନ୍ତ୍ରୀ, ଭୂମିକା ଦାଶ, ପପୁ ପମ୍‌ପମ୍‌, ରାଜ ରାଜେଶ ଓ ସାୟଲ ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ ସଂସ୍ଥାର ସଙ୍ଗଠକ ସ୍ଥିତ ପଟ୍ଟନାୟକ ପୌରୋହିତ୍ୟ କରିଥିଲେ । ତପନ ଦାସ ଅତିଥି ପରିଚୟ ଓ ସିନେ ସାମ୍ବାଦିକ ସମୀର ରଞ୍ଜନ ଦାସ ସ୍ୱାଗତ ଭାଷଣ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.