ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍‌ ଘଟଣା, ସମ୍ବଲପୁରରେ ମିଳିଲା ୩୭.୫୦ କୋଟି

Published By : Prameya-News7 Bureau | December 09, 2023 IST

ସମ୍ବଲପୁର: ମଦ ବେପାରୀଙ୍କ ଘରେ ଆଇଟି ରେଡ୍‌ ଘଟଣା। ସମ୍ବଲପୁରରେ ମିଳିଲା ୩୭.୫୦ କୋଟି ଟଙ୍କା। ସମ୍ବଲପୁର ଏସବିଆଇ ମୁଖ୍ୟ ଶାଖାରେ ଚାଲିଥିଲା ଗଣତି। ଏଥିରେ ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ ରହିଥିବା ସୂଚନା ମିଳିଛି। ପୂର୍ବରୁ ୬ଜଣ କର୍ମଚାରୀ ନିୟୋଜିତ ଥିବାବେଳେ ଶନିବାର ଛୁଟି ସତ୍ତ୍ବେ ଗଣତି କରାଯିବା ସହ ମୋଟ ୯ଜଣ କର୍ମଚାରୀ ସାମିଲ ଥିଲେ।

ସୂଚନାଥାଉକି, ରେଡ ଦିନଠାରୁ ଗୋଟିଏ ମେସିନ ଗଣତିରେ ଲାଗିଥିବାବେଳେ ଆହୁରି ୪ଟି ମେସିନ ଯୋଗାଇ ଦିଆଯାଇଥିଲା । ଏହା ପୂର୍ବରୁ ଶନିବାର ଟିଟିଲାଗଡ଼ ମଦଭାଟିରୁ ମଧ୍ୟ ୧୧ କୋଟି ମିଳିଥିଲା। ଯାହାକୁ ଗଣିବା ପାଇଁ ନିୟୋଜିତ ହୋଇଥିଲେ ବିଭିନ୍ନ ବ୍ୟାଙ୍କର ୫୦ଜଣ କର୍ମଚାରୀ ।

ସୂଚନାଯୋଗ୍ୟ, ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧିରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ଆୟକର ରେଡ୍ ହୋଇଛି। ଏହି କ୍ରମରେ ବୁଧବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଇଟି ରେଡ୍‌ ହୋଇଥିଲା । ଖାସ୍‌ କରି ରାଜ୍ୟର ମଦ ବ୍ୟବସାୟୀଙ୍କ ଘରେ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଛି । ଏପର୍ଯ୍ୟନ୍ତ ଜବତ ଟଙ୍କାର ପରିମାଣ ୩୦୦କୋଟି ପାର୍ କଲାଣି । ଆଗକୁ ଏହା ୫ଶହ କୋଟି ଛୁଇଁବ ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ସାହୁ ବ୍ରଦର୍ସଙ୍କ ମଦ ସାମ୍ରାଜ୍ୟ: ୪ ଦିନ ହେଲାଣି ଟଙ୍କା ଗଣି ଗଣି ମଣିଷ-ମେସିନ ହାଲିଆ, କାଲି ସୁଦ୍ଧା ସରିବ ଗଣତି

ଆଇଟି ରେଡ୍‌ରେ ଆୟକର ବିଭାଗର ତିନି ଟିମ୍‌ ରାଜ୍ୟରେ ସେମାନଙ୍କର ବିଭିନ୍ନ ଠିକଣାରେ ଚଢଉ କରିଛି । ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଓ ଭୁବନେଶ୍ୱର ସମେତ କୋଲକାତା ଓ ରାଞ୍ଚିର ୨୫ଟି ଆଡ୍ଡାରେ ଆୟକର ଯାଞ୍ଚ ଚାଲିଛି । ଏଥିରେ ଟିଟିଲାଗଡ଼ର ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ସହ ତାଙ୍କ ବଡ଼ଭାଇ ଦୀପକ ସାହୁଙ୍କ ଘରେ ମଧ୍ୟ ଆଇଟି ବିଭାଗ ପକ୍ଷରୁ ରେଡ୍‌ ଚାଲିଥିଲା ।

ସେହିପରି ବଲାଙ୍ଗୀର ସୁଦପଡ଼ା ରାଜେଶ ସାହୁଙ୍କ ମଦଭାଟି ସହ ଘରେ ମଧ୍ୟ ରେଡ୍‌ କରିଥିଲା ଆୟକର ବିଭାଗ। ଯେଉଁଥିରୁ ଏପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଆଉ ଏହି ଟଙ୍କା ୨୫୦ କୋଟି ଟପିଯିବ ବୋଲି ଆଇଟି ଅଧିକାରୀମାନେ ଅନୁମାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ରୁ ମିଳିଲା ୧୧ କୋଟି, କିଛି ବି ଡୁପ୍ଲିକେଟ୍‌ ନୋଟ ନାହିଁ-ଡିଜିଏମ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.