ନୂଆଦିଲ୍ଲୀ: ଜାନୁଆରୀରେ ଖବର ଆସିଥିଲା ଯେ ଆଇଆଇଟି ବମ୍ୱେର ୮୫ ଛାତ୍ରଛାତ୍ରୀଙ୍କୁ ୧ କୋଟି ଟଙ୍କା ଚାକିରି ଅଫର୍ ମିଳିଛି । କିନ୍ତୁ ଏକ ସଦ୍ୟତମ ରିପୋର୍ଟରେ ଆଇଆଇଟି ବମ୍ୱେର ୩୬ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଏବେ ସୁଦ୍ଧା କୌଣସି ଚାକିରି ମିଳି ନଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ଆଇଆଇଟି ବମ୍ୱେରେ ପ୍ଲେସମେଣ୍ଟ ଚାଲିଛି । ଯେଉଁଥିରେ ଦେଶ ଏବଂ ବିଦେଶର ପ୍ରତିଷ୍ଠିତ କମ୍ପାନି ନିଜ ପାଇଁ ଉପଯୁକ୍ତ ପ୍ରାର୍ଥୀ ଖୋଜୁଛନ୍ତି । ଖବର ଅନୁସାରେ ପ୍ଲେସମେଣ୍ଟରେ ଭାଗ ନେବା ପାଇଁ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୬ ପ୍ରତିଶତଙ୍କୁ କୌଣସି ନିଯୁକ୍ତି ଅଫର ମିଳି ନାହିଁ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଆଇଆଇଟି ବମ୍ୱେର ପଞ୍ଜିକୃତ ୨ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୧୨ ଜଣଙ୍କୁ ଚଳିତ ଥର କୌଣସି ପ୍ଲେସମେଣ୍ଟ ମିଳି ନାହିଁ । ଗ୍ଲୋବାଲ୍ ଆଇଆଇଟି ଆଲୁମନି ସପୋର୍ଟ ଗ୍ରୁପ ଧୀରଜ ସିଂ ଏହି ଡାଟା ସେୟାର କରିଛନ୍ତି ।
ଆଇଆଇଟି ବମ୍ୱେରେ କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବ୍ରାଞ୍ଚର ସବୁଠୁ ଅଧିକ ଡିମାଣ୍ଡ ରହିଛି । ପ୍ରତି ବର୍ଷ ଏହି ବ୍ରାଞ୍ଚର ଛାତ୍ରଛାତ୍ରୀଙ୍କୁ ୧୦୦ ପ୍ରତିଶତ ପ୍ଲେସମେଣ୍ଟ ମିଳିଥାଏ । କିନ୍ତୁ ପ୍ରଥମ ଥର ପାଇଁ ଏହି ବ୍ରାଞ୍ଚର ଛାତ୍ରଛାତ୍ରୀଙ୍କୁ ପ୍ଲେସମେଣ୍ଟ ମିଳି ନାହିଁ । ୨୦୨୪ ମେ ମାସ ଯାଏ ପ୍ଲେସମେଣ୍ଟ ପ୍ରକ୍ରିୟା ଜାରି ରହିବ ।
ଗତ ବର୍ଷ ଆଇଆଇଟି ବମ୍ୱେର ୩୨.୮ ପ୍ରତିଶତ ଛାତ୍ରଛାତ୍ରୀ ଚାକିରି ପାଇବାରେ ଅସମର୍ଥ ଥିଲେ । ଚଳିତ ବର୍ଷ ଏହି ସଂଖ୍ୟାରେ ୨.୮ ପ୍ରତିଶତ ବୃଦ୍ଧି ହୋଇଛି । ରିପୋର୍ଟରେ କୁହାଯାଇଛି ଯେ ଆଇଆଇଟି ବମ୍ୱେର ପ୍ଲେସମେଣ୍ଟ ସେଲର ଅଧିକାରୀଙ୍କ କହିବା ଅନୁସାରେ ବୈଶ୍ୱିକ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ପ୍ଲେସମେଣ୍ଟ ସିଜିନ ପାଇଁ କମ୍ପାନିଗୁଡ଼ିକୁ ଆମନ୍ତ୍ରଣ କରିବା ମୁସ୍କିଲ ଅଟେ ।