ନାଇଜେରିଆ ତୈଳ ଡିପୋରେ ଅଗ୍ନିକାଣ୍ଡ; ବ୍ଲାଷ୍ଟରେ ୩୪ ମୃତ, ୨୦ ଆହତ
24/09/2023 at 2:30 PM

ନୂଆଦିଲ୍ଲୀ: ନାଇଜେରିଆ ତୈଳ ଡିପୋରେ ବିସ୍ଫୋରଣ । ବେଆଇନ ଇନ୍ଧନ ଗୋଦାମରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩୪ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ, ଶନିବାର ଦିନ ବେନିନ୍ରେ ଥିବା ଏକ ସୀମିତ ଇନ୍ଧନ ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ତୈଳ ଡିପୋରେ ବିସ୍ଫୋରଣ ହୋଇଥିଲା । ପରେ ଧୁଆଁ ଧୁଆଁ ହୋଇଯାଇଥିବା ସ୍ଥାନୀୟ ଆକାଶ । ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଆଧାରରେ ଖବର ଏଜେନ୍ସି AFP ଏନେଇ ରିପୋର୍ଟ ପ୍ରକାଶ କରିଛି । ଏହି ଘଟଣାରେ ୩୪ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅଧିକାଂଶ ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡ ଘଟଣା ନାଇଜେରିଆର ଦକ୍ଷିଣ ସହର ସେମେ ପୋଡଜୀ ଠାରେ ଏକ ଚୋରା ଚାଲାଣ ଇନ୍ଧନ ଗୋଦାମରେ ହୋଇଛି । ଏଠାରେ କାର, ମୋଟରସାଇକେଲ ଏବଂ ତିନି ଚକିଆ ଯାନ ଇନ୍ଧନ ଭରିବାକୁ ଆସିଥିଲେ । ଏହି ସମୟରେ ଏଠାରେ ବ୍ଲାଷ୍ଟ ହୋଇଥିଲା ।
ସୂଚନାଯୋଗ୍ୟ ଯେ ଆଫ୍ରିକୀୟ ଦେଶ ନାଇଜେରିଆ ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ। ଯେଉଁ କାରଣରୁ ଦେଶ ତଥା ଏହାର ସୀମାରେ ଇନ୍ଧନ ଚୋରା ଚାଲାଣ ଏକ ସାଧାରଣ କଥା । ଅନେକ ଥର ଏଠାରେ ବେଆଇନ ରିଫାଇନାରୀ, ଇନ୍ଧନ ଡମ୍ପିଂ ଷ୍ଟେସନ ଏବଂ ପାଇପଲାଇନରେ ଅଗ୍ନିକାଣ୍ଡ ଘଟିଥାଏ ।