ସମୁଦ୍ର କୂଳରେ ପଡିଛି ୩୫ ଫୁଟର ମଲା ତିମି, ଦେଖିବାକୁ ଜମୁଛି ଲୋକଙ୍କ ଭିଡ
29/06/2020 at 9:02 PM

କୋଲକାତା ୨୯।୦୬: ପଶ୍ଚିମବଙ୍ଗର ମନ୍ଦାରମଣିରେ ସମୁଦ୍ର କୂଳରେ ଏକ ୩୫ ଫୁଟ ଲମ୍ବର ମଲା ତିମି ପଡିଛି। ଏହି ସ୍ଥାନ କୋଲକାତାଠୁ ୧୫୦ କିଲୋମିଟର ଦୂରରେ ସ୍ଥିତ। ଏହି ଅଞ୍ଚଳରେ ଏଭଳି ବଡ ମଲା ତିମି ଭାସି ଆସିବା ପ୍ରଥମ ଘଟଣା।
ସମୁଦ୍ର କୂଳରେ ତିମିଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଛି। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି। ପୂର୍ବରୁ ଏମିତି ତିମି ଦେଖିନଥିବା ଲୋକେ କହିଛନ୍ତି। ତିମିର ମୃତ୍ୟୁ କେମିତି ଘଟିଛି ଏବଂ ଲାଞ୍ଜରେ ଆଘାତ ଚିହ୍ନ କେମିତି ଲାଗିଛି ତାର କାରଣ ଜଣା ପଡିନାହିଁ।

ଘଟଣାର ସୂଚନା ମିଳିବା ମାତ୍ରେ ପୂର୍ବ ମେଦିନିପୁରର ଜିଲ୍ଲା ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିରେ ଜଙ୍ଗଲ ଏବଂ ଓ୍ଵାଇଲ୍ ଲାଇଫ ତଥା ମତ୍ସ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ। ମନ୍ଦାରମଣି ପଶ୍ଚିମବଙ୍ଗ ତଟର ଏକ ପର୍ଯ୍ୟଟନ ସ୍ଥଳୀ । ଏହା ଦୀଘା ନିକଟରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ । କରୋନା ଯୋଗୁଁ ଏବେ ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଅଛି ।