ସହିଦ ଯବାନଙ୍କ ପରିବାରକୁ ଚୁନା ଲଗାଇଲା ଠକ, ସୋସିଆଲ୍ ମିଡିଆ ଜରିଆରେ ଠକି ନେଲେ ୩୪ଲକ୍ଷ
23/06/2022 at 3:11 PM

ଭଦ୍ରକ ୨୩।୬: ସ୍ପେଶାଲ ଟ୍ରାନ୍ସଫର ହେବ, ଟଙ୍କା ଦରକାର, ଏମିତି କହି ମିଛ ଫେସବୁକ ଆକାଉଣ୍ଟରେ ଶିକ୍ଷା ବିଭାଗର ସେକ୍ସନ ଅଫିସର କହି ଟଙ୍କା ନେଉଥିଲେ । ଭାରତୀୟ ସେନାର ସହିଦ ଯବାନଙ୍କ ପୁଅକୁ ଠକିଥିବା ଠକକୁ ଧରିଛି ଭଦ୍ରକ ପୋଲିସ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ସହିଦ ଯବାନ ରତ୍ନାକର ମହାପାତ୍ରଙ୍କ ପୁଅ ସୌଭାଗ୍ୟ ରଞ୍ଜନ ମହାପାତ୍ର ଙ୍କଠାରୁ ୩୪ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଛି । ଏହି ଠକେଇ ଟଙ୍କାରେ ଠକ ଜଣକ ବିଭିନ୍ନ ବିଳାସପୂର୍ଣ୍ଣ ସାମଗ୍ରୀ କିଣିଥିବା ପୋଲିସ କହିଛି । ଗିରଫ ଠକ ହେଉଛି କୋରାପୁଟ ଜିଲ୍ଲା ଜୟପୁର ଥାନା ଅଞ୍ଚଳର ସଂଗ୍ରାମ କେଶରୀ ବାରିକ । ସୌଭାଗ୍ୟ ରଞ୍ଜନ ମହାପାତ୍ର ସୁନ୍ଦରଗଡ଼ରେ ଶିକ୍ଷକତା କରୁଥିବା ବେଳେ ସଂଗ୍ରାମ ତାଙ୍କୁ ଶିକ୍ଷା ବିଭାଗର ସେକ୍ସନ ଅଫିସର କହି ଫେସବୁକ ମାଧ୍ୟମରେ ଯୋଗାଯୋଗ କରିଥିଲା । ପରେ ସ୍ପେଶାଲ ଟ୍ରାନ୍ସଫର ଅର୍ଡର କରିବା ପାଇଁ ବିଭିନ୍ନ ଫର୍ମ ଓ କାଗଜପତ୍ର ଦେଇ ଟଙ୍କା ନେଇଥିଲା । ଏକାଧିକ ଥର ବିଭିନ୍ନ ଉପାୟରେ ୩୪ଲକ୍ଷରୁ ଅଧିକ ଟଙ୍କା ନେଉଥିବା ପୋଲିସ ସୂଚନା ଦେଇଛି । ଏନେଇ ଥାନାରେ ଅଭିଯୋଗ ପରେ ଠକ ସଂଗ୍ରାମ କେଶରୀ ବାରିକକୁ ଗିରଫ କରିଛି ଭଦ୍ରକ ପୋଲିସ । ତେବେ ଠକିଥିବା ଟଙ୍କାରେ ସଂଗ୍ରାମ କାର୍, ସୁନା ଗହଣା କିଣାକିଣି କରିବା ସହ ହୋଟେଲରେ ରହୁଥିଲା । ତେବେ ସଂଗ୍ରାମ ନିକଟରୁ ଏକ ସ୍କୋଡା କାର୍, ୧୩୦ଗ୍ରାମ୍ ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ୍ ଓ ନଗଦ ୪୦ହଜାର ଟଙ୍କା ସହ ଅନ୍ୟାନ୍ୟ ପ୍ରମାଣକୁ ଜବତ କରିଛି ଭଦ୍ରକ ପୋଲିସ ।