ଚର୍ଚ୍ଚରେ ଯୌନ ଶୋଷଣର ଶିକାର ହୋଇଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ବ ଶିଶୁ, ୩ ହଜାର ଅଭିଯୁକ୍ତ ଚିହ୍ନଟ : ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ତାଜୁବ୍‌

Published By : Prameya-News7 Bureau | October 05, 2021 IST

 ନୂଆଦିଲ୍ଲୀ ୦୫/୧୦ : ଶହେ ନୁହେଁ କି ହଜାରେ ନୁହେଁ ପ୍ରାୟ ୩ ଲକ୍ଷ ୩୦ ହଜାର ଶିଶୁ ଯୌନ ଶୋଷଣର ଶିକାର । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ତାଜୁବ ହୋଇଯାଇଛନ୍ତି । କାରଣ କ୍ରିଷ୍ଟିଆନମାନଙ୍କ ମନ୍ଦିର କୁହାଯାଉଥିବା ପବିତ୍ର ଚର୍ଚ୍ଚରେ ଏଭଳି ଘୃଣ୍ୟ କାମ ଚାଲିଥିଲା । ବର୍ଷେ କି ଦୁଇ ବର୍ଷ ନୁହେଁ ଗତ ୭୦ ବର୍ଷ ହେଲା ଫ୍ରାନ୍ସର କେଥୋଲିକ୍‌ ଚର୍ଚ୍ଚ ଭିତରେ ଏଭଳି ଜଘନ୍ୟ କାଣ୍ଡ ଘଟିଆସୁଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଏବେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ କେହି କିଭଳି ଜାଣିପାରିଲେ ନାହିଁ ତାହା ସମସ୍ତଙ୍କୁ ତାଜୁବ କରିଛି ।

ଏଭଳି ଖବର ପ୍ରଥମେ ଫ୍ରାନ୍ସର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା । ଜୀନ ମାର୍କ ସୋଓ୍ବେ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିବା ପରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି । ଚର୍ଚ୍ଚକୁ ଯାଉଥିବା ପଦାଧିକାରୀ ଏବଂ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ଏଥିରେ ସଂପୃକ୍ତ ଥିବା ଜଣାପଡିଛି । ୭୦ ବର୍ଷ ମଧ୍ୟରେ ପ୍ରାୟ ୩ ଲକ୍ଷ ୩୦ ହଜାର ଶିଶୁ, ଯୁବକ, ଯୁବତୀ ଯୌନ ଶୋଷଣର ଶିକାର ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି ।

ଯୌନ ଶୋଷଣର ଶିକାର ହୋଇଥିବା ପ୍ରାୟ ୮୦ ପ୍ରତିଶତ ହେଉଛନ୍ତି ନାବାଳକ । ଏହା ବାଦ୍‌ ୬୦ ପ୍ରତିଶତ ନାବାଳକ ଏବଂ ନାବାଳିକା ଯୌନ ଶୋଷଣର ଶିକାର ହେବା ପରେ ମାନସିକ ତଥା ଶାରୀରିକ ଭାବେ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି । ଏକ ସ୍ବତନ୍ତ୍ର ଯାଞ୍ଚ ଏଜେନ୍ସି ଦ୍ବାରା ଏହାର ଯାଞ୍ଚ କରାଯାଇ ୨୫୦୦ ପୃଷ୍ଠା ବିଶିଷ୍ଟ ଦସ୍ତାବିଜରେ ୭୦ ବର୍ଷର କଳାକାରନାମା ଲୋକଲୋଚନକୁ ଅଣାଯାଇଛି ।

ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ଏଭଳି ଜଘନ୍ୟ ଘଟଣାରେ ୩୦୦୦ ଜଣ ସଂପୃକ୍ତ ରହିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ତୃତୀୟାଶଂ କେବଳ ପାଦରୀ । ଏମାନେ ସମସ୍ତେ ଛୋଟ ଛୋଟ ଶିଶୁଙ୍କୁ ଯୌନ ଶୋଷଣ କରୁଥିଲେ । ଏଭଳି ଘଟଣାକୁ ନେଇ ଫ୍ରାନ୍ସ ସରକାର ଏବେ ସକ୍ରିୟ ହୋଇଉଠିଛନ୍ତି । ଉକ୍ତ ଚର୍ଚ୍ଚକୁ ସିଲ୍‌ କରାଯାଇ ଛାନ୍‌ଭିନ୍‌ କରାଯାଇଛି । ଚର୍ଚ୍ଚ ପରିସରରୁ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ଜୀବିତ ଏବଂ ମୃତ ଅପରାଧୀମାନଙ୍କୁ ଜାଣିବା ପାଇଁ ଯାଞ୍ଚ ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.