ଲକ୍ଷ୍ନୌ ୧୬।୬: ଉତ୍ତରପ୍ରଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଶନିବାର କାନପୁର ଦେଶର ସବୁଠୁ ଉତପ୍ତ ସହର ପାଲଟିଥିଲା। ଏଠାରେ ଦିନର ସର୍ବାଧିକ ତାପମାତ୍ରା ୪୬.୩ ଡିଗ୍ରି ସେଲସିୟସ୍ କୁ ପହଞ୍ଚିଥିବା ବେଳେ ରାତିର ତାପମାତ୍ରା ୩୫.୨ ଡିଗ୍ରି ସେଲସିୟସ ସହିତ ଗରମ ରାତି ପାଲଟିଥିଲା। ରାଜ୍ୟରେ ଏବେ ଭୀଷଣ ଲୁ ପ୍ରବାହ ହେଉଥିବା ବେଳେ ଶନିବାର ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ସୋମବାର ପର୍ଯ୍ୟନ୍ତ ଏଇଭଳି ପାଗ ଲାଗି ରହିବ।
କାନପୁର ଓ ବୁନ୍ଦେଲଖଣ୍ଡରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଶନିବାର ୨୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କାନପୁରରେ ୮ ଜଣ ପ୍ରାଣ ହରାଇଥିବା ବେଳେ ଚିତ୍ରକୁଟରେ ୬, ମହୋବାରେ ୩, ବାନ୍ଦା ଓ ହମୀରପୁରରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ପୁଷ୍ଟି କରାଯାଇଛି। ଏହା ଛଡା ବାରଣାସୀ ଓ ଆଖପାଖରେ ଗ୍ରୀଷ୍ମ ପ୍ରବାହ ଯୋଗୁ ୧୪ ଜଣ ପ୍ରାଣ ହରାଇଛନ୍ତି। ଏଥିରେ କେବଳ ବାରଣାସୀରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବଲିୟାରେ ୩, ମିର୍ଜାପୁରରେ ୨, ଗାଜିପୁର ଓ ସୋନଭଦ୍ରରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି।
ପାଣିପାଗ ବୈଜ୍ଞାନିକ ଅତୁଲ କୁମାର ସିଂହଙ୍କ ଅନୁସାରେ ଆଗାମୀ ୪-୫ଦିନରେ ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ଉପକୂଳ ଆନ୍ଧ୍ରପ୍ରଦେଶ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରର କିଛି ଅଂଶ ସହିତ ଗାଙ୍ଗେୟା ପଶ୍ଚିମବଙ୍ଗର କିଛି ଅଂଶ, ଉପହିମାଳୟ ପଶ୍ଚିମବଙ୍ଗର ଅବଶେଷ ଅଂଶ ଓ ବିହାରର କିଛି ଅଂଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗକୁ ପ୍ରସରିପାରେ। ଏଥି ପାଇଁ ପରିସ୍ଥିତି ଏବେ ଅନୁକୂଳ ରହିଛି। ବିହାରରେ ମୌସୁମୀ ଆଗକୁ ବଢିବା ପରେ ହିଁ ଉତ୍ତରପ୍ରଦେଶକୁ ମୌସୁମୀ ଆଗମନର ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ସେ କହିଛନ୍ତି।