ଓ୍ଵାର୍କଫ୍ରମ ହୋମ୍ ସ୍କାମରେ ଠକେଇର ଶିକାର ହେଲେ ୩୦ ହଜାର ଲୋକ, ବୁଡିଗଲା ୨୦୦ କୋଟି ଟଙ୍କା
28/01/2023 at 10:35 PM

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ୍ ଚୀନରୁ ସଞ୍ଚାଳିତ ଅନଲାଇନ୍ ଜବ୍ ରାକେଟ୍ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଚୀନର ଠକଗୋଷ୍ଠୀ ଦ୍ଵାରା ୩୦ ହଜାରରୁ ଅଧିକ ଲୋକ ଠକେଇର ଶିକାର ହୋଇଛନ୍ତି। ଏଥିରେ ସେଲ୍ କମ୍ପାନି ମାଧ୍ୟମରେ ୨୦୦ କୋଟି ଟଙ୍କାର ଠକେଇ ହୋଇଥିବା ତଦନ୍ତରୁ ଜଣା ପଡିଛି। ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି।
ଡିସିପି ଆଉଟର ନର୍ଥ ଦିଲ୍ଲୀ ଅନୁଯାୟୀ, ଜଣେ ପୀଡିତ ଗତ ବର୍ଷ ସେପ୍ଟେମ୍ବର ୨୬ରେ ଦିଲ୍ଲୀ ପୋଲିସରେ ଏକ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ତଦନ୍ତ ବେଳେ ଦିଲ୍ଲୀ ପୋଲିସ୍ ଜାଣିବାକୁ ପାଇଥିଲା ଯେ, ପୀଡିତା ଯେଉଁ ଖାତାରେ ଏକ ଲକ୍ଷ ଟଙ୍କା ଜମା କରିଥିଲେ, ସେଥିରେ ଗୋଟିଏ ଦିନରେ ୫ କୋଟି ଟଙ୍କାର ଲେଣଦେଣ ହୋଇଛି।
ଦିଲ୍ଲୀ ପୋଲିସର ସାଇବର ଦଳର ତଦନ୍ତରୁ ଜଣା ପଡିଛି ଯେ, ଅନଲାଇନ୍ ଜବ ରାକେଟ୍ ଚୀନରେ ସଞ୍ଚାଳିତ ହୋଇଛି। ଚୀନର ଠକମାନେ ଅନଲାଇନ୍ରେ ଚାକିରି ଦେବା ନାମରେ ହଜାର ସଂଖ୍ୟକ ଲୋକଙ୍କୁ ଠକେଇର ଶିକାର କରିଛନ୍ତି। ଅନଲାଇନ୍ ଜବ୍ ରାକେଟ୍ରେ ମୋଟ୍ ୩୦ ହଜାରରୁ ଅଧିକ ଲୋକ ଠକାମୀର ଶିକାର ହୋଇଛନ୍ତି। ଏହି ସ୍କାମର ମୁଖ୍ୟ ଅଭିଯୁକ୍ତ ଚୀନର ହୋଇଥିବା ଜଣା ପଡିଛି। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଅଭିଷେକ ଗର୍ଗ(୪୦), ସତୀଶ ଯାଦବ(୩୬) ଏବଂ ସନ୍ଦୀମ ମାହଲା(୩୨)। ପୋଲିସ୍ ଅଭିଷେକ ଏବଂ ସତୀଶକୁ ଜାନୁଆରୀ ୨୧ରେ ଗିରଫ କରିଥିବା ବେଳେ ସନ୍ଦୀପକୁ ଜାନୁଆରୀ ୨୩ରେ ଗିରଫ କରିଥିଲା।
ଜର୍ଜିଆରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଯାଦବ ଟେକ୍ନିକାଲି ସହାୟତା ଯୋଗାଉଥିଲା। ଯାଦବ ଦିଲ୍ଲୀ ବାସିନ୍ଦା। ସେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ବେଳେ ଅନେକ କମ୍ପାନି ବିଶେଷ କରି ମୋବାଇଲ୍ ସର୍ଭିସ୍ ଫର୍ମରେ କାମ କରିଛି।
ଦିଲ୍ଲୀ ପୋଲିସ୍ ଅନୁଯାୟୀ, ଅନଲାଇନ୍ ଜବ୍ ରାକେଟ୍ରେ ଚୀନ ସର୍ଭରର ବ୍ୟବହାର କରାଯାଇଛି। ସେଲ୍ କମ୍ପାନି ମାଧ୍ୟମରେ ମୋଟ୍ ୨୦୦ କୋଟି ଟଙ୍କାର ଠକେଇ ହୋଇଛି। ଠକେଇ ଅର୍ଥ ଚୀନ ଏବଂ ଦୁବାଇ ପଠାଯାଇଥିବା ପ୍ରାଥମିକତଦନ୍ତରୁ ଜଣା ପଡିଛି। ପୋଲିସ୍ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି।
ଠକେଇରେ ସାମିଲ୍ ଅନ୍ୟ ଅଭିଯୁକ୍ତ ହେଉଛି ବିକାଶ ମାଲହୋତ୍ରା। ସେ ବର୍ତ୍ତମାନ ଜର୍ଜିଆରେ ଅଛି। ତାଙ୍କୁ ଗିରଫ କରିବାକୁ ପୋଲିସ୍ର ପ୍ରୟାସ ଜାରି ରହିଛି।