କରୋନା ଡରରେ ସ୍କୁଲ ବନ୍ଦ, ସାରା ବିଶ୍ଵରେ ୩୦୦ ନିୟୁତ ଛାତ୍ର-ଛାତ୍ରୀ ଘରେ ରହି ପଢୁଛନ୍ତି ପାଠ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୦୫।୦୩- କରୋନା ଭୂତାଣୁ କାରଣରୁ ସମଗ୍ର ବିଶ୍ଵରେ ଏବେ ଆତଙ୍କର ମାହୋଲ। ଲୋକଙ୍କୁ ଘରେ ବନ୍ଦୀ  ହେବାକୁ ପଡୁଛି। ଗୁରୁବାର ସମଗ୍ର ଦୁନିଆର ପ୍ରାୟ ୩୦୦ ମିଲିୟନ ଛାତ୍ରଙ୍କୁ ଗୁରୁବାର ସ୍କୁଲ ନଯାଇ ଘରେ ରହିବାକୁ ପଡିଛି। ଏଥିରେ ଅଧିକାଂଶ ଛାତ୍ର ଇଟାଲୀର ହୋଇଥିବା ଜଣା ପଡିଛି। ମାରାତ୍ମକ କରୋନା କାରଣରୁ ବିଭିନ୍ନ ଦେଶରେ ସ୍କୁଲଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ପିଲାଙ୍କୁ ସ୍କୁଲ ନଯାଇ ଘରେ ରହିବାକୁ ପଡିଛି। ଏହା ସହିତ କରୋନାର ମୁକାବିଲା ପାଇଁ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି।

ପାଖାପାଖି ୯୫୦୦୦ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଅଦ୍ୟାବଧି ବିଶ୍ଵର ୮୦ଟି ଦେଶକୁ କରୋନା ବ୍ୟାପିଲାଣି। ଚୀନରେ ସବୁଠୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଗତ ବର୍ଷ ଏହି ଭୂତାଣୁ ଚୀନରୁ ଉତ୍ପନ ହୋଇ ପୂରା ବିଶ୍ଵକୁ ଏବେ କବଳିତ କରିବାରେ ଲାଗିଛି। ପୂରା ଚୀନ ସହର ଅସ୍ଥାୟୀ ଭାବେ ବନ୍ଦ ରହିଛି ଏବଂ ସ୍କୁଲ ଗୁଡିକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

ଯେମିତି ଯେମିତି ଏହି ଭୂତାଣୁ ବ୍ୟାପିବାରେ ଲାଗିଛି, ସେହି ଅନୁସାରେ ଅନେକ ଦେଶ ସତର୍କତାମୂଳକ ପଦକ୍ଷେପ ଉଠାଇ ଚାଲିଛନ୍ତି। ବୁଧବାର ୟୁନେସ୍କୋ କହିଛି ଯେ, ବିଶ୍ଵରେ ୧୩ଟି ଦେଶ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ୨୯୦.୫ ମିଲିୟନ ପିଲା ଏଥିରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଘରେ ବନ୍ଦୀ ହେବାକୁ ପଡିଛି।

ଜାପାନର ପାଖାପାଖି ସମସ୍ତ ସ୍କୁଲକୁ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ସପ୍ତାହରେ ଫ୍ରାନ୍ସରେ ୧୨୦ ସ୍କୁଲ  ବନ୍ଦ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.