ଇରାନରେ କରୋନା ଚିକିତ୍ସା ନାଁରେ ଲୋକେ ପିଇଲେ ବିଷାକ୍ତ ମଦ, ୩୦୦ ମୃତ୍ୟୁ

Published By : Prameya-News7 Bureau | March 27, 2020 IST

ତେହରାନ ୨୭।୦୩: ଇରାନ ସଂପ୍ରତି ସେହି ଦେଶରେ ସାମିଲ ଯେଉଁଠି କରୋନା ଭାଇରସ୍ ସବୁଠୁ ଅଧିକ ଆତଙ୍କ ଖେଳାଇଛି। ମାତ୍ର ଏଠାରେ ଲଢେଇ କେବଳ କରୋନା ଭାଇରସକକୁ ନେଇ ନୁହଁ ବରଂ ଗୁଜବକୁ ନେଇ ମଧ୍ୟ ହେଉଛି। ଇରାନ ଲୋକଙ୍କ ମଧ୍ୟରେ ଏହି ଗୁଜବ ପ୍ରଚାରିତ ହୋଇଗଲା ଯେ, ମେଥନଲ ପିଇଲେ କରୋନାର ଚିକିତ୍ସା ହୋଇ ପାରିବ। କିନ୍ତୁ ଏହି ଗୁଜବ କାରଣରୁ ଅବସ୍ଥା ଏମିତି ଶୋଚନୀୟ ହୋଇ ପଡିଛି ଯେ, ଏ ପର୍ଯ୍ୟନ୍ତ ୧୦୦୦ ଜଣ ରୋଗ ଗ୍ରସ୍ତ  ହୋଇଥିବା ବେଳେ ୩୦୦ ଜଣଙ୍କ ପ୍ରାଣହାନୀ ଘଟିଛି। ମେଥନଲ ଏକ ପ୍ରକାରର ବିଷାକ୍ତ ମଦ।  

ଇରାନରେ ମଦ୍ୟପାନ ଉପରେ ପ୍ରତିବନ୍ଧକ ଲାଗୁ ହୋଇଛି। ତଥାପି ଲୋକେ ଅବୈଧ ଭାବେ ନିଶାଦ୍ରବ୍ୟ ସେବନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଗୁଜବ ଏମିତି ସମୟରେ ପ୍ରଚାରିତ ହୋଇଛି ଯେବେ ସରକାରଙ୍କ ଉପରୁ ଲୋକଙ୍କ ଭରସା ଉଠିବାରେ ଲାଗିଛି। ସରକାର ପ୍ରଥମେ କରୋନା ଅବସ୍ଥା ସେତେଟା ଗମ୍ଭୀର ନୁହଁ ବୋଲି ଦେଖାଇବାକୁ ଚେଷ୍ଟା କରିଥିଲା, ମାତ୍ର ପରବର୍ତ୍ତୀ ସମୟରେ ସ୍ଥିତି ଖରାପ ହେବାରେ ଲାଗିଥିଲା। ଓସ୍ଲୋରେ କ୍ଲିନିକାଲ ଟକ୍ସିକଲୋଜିଷ୍ଟ ଡ. ନୁଟ୍ ଏରିକ ହୋବଡାଙ୍କ କହିବା କଥା ଭୂତାଣୁରେ ଲୋକେ ମରୁଛନ୍ତି  ଏବଂ ସେମାନଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ, ଅନ୍ୟ ବିପଦ ମଧ୍ୟ ସେମାନଙ୍କ ପାଖରେ ରହିଛି। ଯଦି ଲୋକେ ଗୁଜବକୁ ବିଶ୍ଵାସ କରି ଏମିତି ପିଇ ଚାଲିବେ ତେବେ ଲୋକଙ୍କ ଜୀବନ ମୃତ୍ୟୁ ମୁଖରେ ପଡିବ।

ଇରାନରେ ସାମାଜିକ ଗଣମାଧ୍ୟମରେ ଏକ ମେସେଜ୍ ଫରଓ୍ଵାର୍ଡ କରାଯାଉଛି ଯେ, ଜଣେ ବ୍ରିଟିଶ ସ୍କୁଲର ଶିକ୍ଷକ ଓ ଅନ୍ୟ ଲୋକେ ହୁଇସ୍କି ଓ ମହୁରେ କରୋନା ଭାଇରସରୁ ଲୋକଙ୍କୁ ରକ୍ଷା କରି ପାରୁଛି। ଏହି ଗୁଜବ ମଧ୍ୟ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି ଯେ, ମଦ୍ୟପାନ କଲେ ଶରୀର ଭିତରେ କରୋନା ଭାଇରସ୍ ନଷ୍ଟ ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.