କୋଲକାତାରୁ ଗୟା ଯାଉଥିବା ବସ୍‌ରୁ ୩୦ ବୋମା ଉଦ୍ଧାର: କୁଆଡୁ ଆସିଲା ଏତେ ବମ୍ ? ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ

Published By : Prameya-News7 Bureau | August 26, 2021 IST

କୋଲକାତା ୨୬/୦୮: ଯାତ୍ରିବାହୀ ବସରୁ ଉଦ୍ଧାର ହେଲା ୩୦ ଅଫୁଟା ବମ୍ । ମଙ୍ଗଳବାର ବିଳମ୍ୱିତ ରାତିରେ ଚଢାଉରେ ଜବତ କରିଛି ପୋଲିସ । କୋଲକାତାରୁ ବିହାର ଗୟା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରୁ ଉଦ୍ଧାର ହୋଇଛି ଏହି ୩୦ ଅଫୁଟା ବୋମା । ତେବେ କିଏ ଏହି ବୋମା ଆଣିଥିଲା ଓ କେଉଁଠୁ ଆସିଲା ସେନେଇ ତଦନ୍ତ ଜାରି ରହିଛି ।

ପୂର୍ବରୁ ଖବର ପାଇ ବେଙ୍ଗାଲୁରୁ ପୋଲିସ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ ସହ ଘରୋଇ ବସ୍‌କୁ ଟ୍ରାକ କରିଥିଲେ । ଏକ ପ୍ଲାଷ୍ଟିକ ଅଖା ଭିତରୁ ଏହି ସବୁ ବୋମାକୁ ଜବତ କରାଯାଇଛି । ବୋମା ସହ ଏକ ନୋଟ ମଧ୍ୟ ଜବତ ହୋଇଛି । ଯେଉଁଥିରେ ବୋମା ସବୁ ଗ୍ରହଣ କରିବାକୁ ଥିବା ବ୍ୟକ୍ତିର ନାଁ ମଧ୍ୟ ରହିଥିଲା । ଝାଡଖଣ୍ଡର ଜଣେ ବ୍ୟକ୍ତିଙ୍କୁ ଏସବୁ ଚାଲାଣ କରାଯାଉଥିଲା । ଯାହାଙ୍କ ପରିଚୟ ସେ ବ୍ୟାଗରେ ମଧ୍ୟ ମିଳିଥିଲା ।

ତେବେ ଏହି ବୋମା ସବୁକୁ ଜବତ କରାଯିବା ସହ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ପଚରାଉଚରା ପରେ ବମ୍ ତସ୍କରୀଙ୍କ ବିଷୟରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ପୋଲିସ କହିଛି । ବର୍ତ୍ତମାନ ଜବତ ହୋଇଥିବା ବୋମାଗୁଡିକ ସିଆଇଡି ବମ୍ ଡିସପୋଜାଲ୍ ସ୍କ୍ୱାଡ ଦ୍ୱାରା ନିଷ୍କ୍ରିୟ କରାଯାଇଛି । ଘଟଣାର ତଦନ୍ତ କରାଯାଉଥିବା ପୋଲିସ କହିଛି ।

ଜୁନ୍ ମାସରେ କୋଲକାତା ପୋଲିସ ଦ୍ୱାରା ବିଜେପି କାର୍ଯ୍ୟାଳୟ ନିକଟ ଖିଡପୁର ଏବଂ ହାଷ୍ଟିଙ୍ଗ କ୍ରସିଂ ଅଞ୍ଚଳରୁ ୫୦ ରୁ ଅଧିକ ଅଫୁଟା ବୋମା ଉଦ୍ଧାର କରାଯାଇଥିଲା । ଏହି ବୋମାଗୁଡିକ ଚାରୋଟି ଅଖା ଭିତରେ ରଖାଯାଇଥିଲା । ଯାହା ମୁଖ୍ୟତଃ ଫଳ ପ୍ୟାକ୍ କରିବା ପାଇଁ ବ୍ୟବହୃତ ହୁଏ । ସୂଚନାଥାଉକି, ମେ ମାସରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବୋମା ବିସ୍ଫୋରଣରେ ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ହୋଇଥିଲା । ବାଳକଟି ଏକ କେନାଲ ନିକଟରେ ଖେଳୁଥିବା ବେଳେ ଖତିପୁର ଗାଁର ଏକ ବାକ୍ସରେ ରଖାଯାଇଥିବା ବୋମା ସଂସ୍ପର୍ଶରେ ଆସି ଜୀବନ ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.