ଜାତିସ୍ମର: ୩ବର୍ଷର ବାଳକ ଚିହ୍ନିପାରିଲା ତା ପୂର୍ବ ଜନ୍ମର ହତ୍ୟାକାରୀକୁ, ଦେଖାଇଲା ସେ ଯାଗା ଯେଉଁଠି ତାକୁ ହତ୍ୟାପରେ ପୋତିଦିଆଯାଇଥିଲା

Published By : Prameya-News7 Bureau | October 29, 2018 IST

ଗୋଲନ ହାଇଟ୍ସ୨୯|୧୦:ଏକ ଅତିମାନବୀୟ ଘଟଣା । ଆପଣଙ୍କୁ ସମ୍ପୂର୍ଣ୍ଣ ଚମକାଇଦେଇପାରେ ।  ଜଣେ ୩ବର୍ଷର ବାଳକ ତା ପୂର୍ବଜନ୍ମ କଥା ମନେପକାଇ ପାରିଛି । କେବଳ ସେତିକି ନୁହେଁ, ପୂର୍ବ ଜନ୍ମରେ ତାକୁ ହତ୍ୟା କରିଥିବା ହତ୍ୟାକାରୀକୁ ଚିହ୍ନିଟ କରିବା ସହ ହତ୍ୟାପରେ ତାକୁ ଯେଉଁଠି ପୋତି ଦିଆଯାଇଥିଲା ସେ ଯାଗା ମଧ୍ୟ ଦେଖାଇଛି । ପୂର୍ବଜନ୍ମକଥା ମନେପକାଇପାରୁଥିବା ଲୋକଙ୍କୁ ଆମେ ଜାତିସ୍ମର କହିଥାଉ । ଏ ପିଲାଟି ମଧ୍ୟ ଜାତିସ୍ମର । ମୃତ୍ୟୁପରେ ଜୀବନ, ପୂର୍ବଜନ୍ମ, ଭୂତ, ପ୍ରେତ ଆଦିକୁ ବିଜ୍ଞାନଯୁଗ ଗ୍ରହଣ କରୁନାହିଁ । ଏହାକୁ ବିଭିନ୍ନ ମନସିକ ଅବସ୍ଥା ବୋଲି କହି କଥାକୁ ଏଡାଇଦିଆଯାଉଛି । କିନ୍ତୁ ସମ୍ପ୍ରତି ଘଟିଥିବା ଘଟଣା ବିଧାନକୁ ମଧ୍ୟ ଚାଲେଜ କରୁଛି । ଘଟଣାଟି ହେଉଛି ଇସ୍ରାଏଲ ଏବଂ ପାଲେଷ୍ଟାଇନ୍ ସୀମାରେ ଥିବା ଗୋଲାନ୍ ହାଇଟସର । ଏଠାରେ ଡ୍ରୃଜ ନାମକ ଏକ ସମ୍ପ୍ରଦାୟ ବସବାସ କରନ୍ତି । ଏଠାର ଜଣେ ବାଳକ ଜନ୍ମହେଲାବେଳେ ମୁଣ୍ଡପାଖରେ ଏକ କଟାଦାଗ ରହିଥିଲା । ପିଲାଟିକୁ ଏବେ ତିନି ବର୍ଷ ହେବାପରେ ସେ କହିଛି ଯେ, ତାକୁ ଗତ ଜନ୍ମରେ ଫାର୍ସାରେ ମୁଣ୍ଡକୁ ଆଘାତ କରି ହତ୍ୟା କରାଯାଇଥିଲା । ଆଉ ଏ ଚିହ୍ନଟି ସେଇ ଫାର୍ସା ମାଡ ଜନିତ । ଡ୍ରୃଜ ସମ୍ପ୍ରଦାୟ ପୂର୍ବଜନ୍ମ ଏବଂ ପରଜନ୍ମରେ ବିଶ୍ବାସ କରେ । ଜନ୍ମବେଳେ ପିଲାଦେହରେ ଥିବା ଚିହ୍ନ ପୂର୍ବ ଜନ୍ମର ସ୍ଥିତିରୁ ଆସିଥାଏ ବୋଲି ମଧ୍ୟ ବିଶ୍ବାସ କରିଥାଏ । ଜନ୍ମବେଳେ ଦେହରେ କିଛି ଚିହ୍ନଥିଲେ ଡ୍ରୃଜ ପରିବାର ପିଲାଟି ଟିକେ ବଡ ହେଲାମାତ୍ରେ ତାକୁ ପଚାରନ୍ତି ଏ ଚିହ୍ନ ସମ୍ପର୍କରେ । ପୂର୍ବ ଜନ୍ମ କଥା ମନେ ପକାଇବା ପାଇଁ ମଧ୍ୟ ଉତ୍ସାହିତ କରନ୍ତି । ଏପରିକି କେହି ଯିଦି କିଛି ମନେ ପକାଇପାରିଲା ତାହେଲେ ତାକୁ ତାର ପୂର୍ବଜନ୍ମର ଘରକୁ ନେଇ ବୁଲେଇ ଆଣିବାର ପରଂପରା ମଧ୍ୟ ଡ୍ରୃଜ ସମ୍ପ୍ରଦାୟରେ ରହିଛି । ପ୍ରଥା ଓ ପରଂପରା ଅନୁସାରେ ମୁଣ୍ଡରେ ଥିବା ଏଇ କ୍ଷତ ଚିହ୍ନଟି ସମ୍ପର୍କରେ ମଧ୍ୟ ତାକୁ ଏହି ପିଲାଟିକୁ ପଚାରାଯାଇଥିଲା । ପିଲାଟି ତାର ପୂର୍ବଜନ୍ମ ସମ୍ପର୍କରେ ସବୁକଥା କହିଥିଲା । ଫଳରେ ତା ପରିବାର ତାକୁ ନେଇ ସେ କହୁଥିବା ସ୍ଥାନକୁ ଯାଇଥିଲେ । ସେଠାରେ ପିଲାଟି ପୂର୍ବଜନ୍ମରେ ସେ ଯେଉଁ ଘରେ ରହୁଥିଲା ତାକୁ ଦେଖାଇଥିଲା । କେବଳ ସେତିକି ନୁହଁ ପୂର୍ବ ଜନ୍ମରେ ତାର ନାଁ କଣଥିଲା ଏବଂ ଯିଏ ତାକୁ ହତ୍ୟାକରିଥିଲା ସେ ଲୋକର ସମ୍ପୂର୍ଣ୍ଣ ନାଁ ମଧ୍ୟ କହିଥିଲା । ଫଳରେ  ପରିବାର ଲୋକେ ବାଳକଟିକୁ ହତ୍ୟାକାରୀ ସହ ଭେଟ କରାଇଥିଲେ । ବାଳକ ସବୁ ପ୍ରମାଣଯୋଗ୍ୟ କଥା କହୁଥିଲେ ମଧ୍ୟ ହତ୍ୟାକାରୀ କିନ୍ତୁ ଏ କଥାରେ ରାଜି ହୋଇନଥିଲା । ଅବଶ୍ୟ ସେହି ଗ୍ରାମବାସୀ କହିଥିଲେ ଯେ, ବାଳକଟି ଯେଉଁ ଲୋକଟିକୁ ଫାର୍ସାରେ ମାରି ହତ୍ୟା କରାଯାଇଛି ବୋଲି କହୁଛି ସେ ଲୋକଟି ଗତ ୪ବର୍ଷ ହେଲା ନିଖୋଜ ଅଛି । ଏହାପରେ ପିଲାଟି ପୂର୍ବଜନ୍ମରେ ତାକୁ ମାରିବାପରେ ଯେଉଁଠି ପୋତା ଯାଇଥିଲା ସେ ସ୍ଥାନ ମଧ୍ୟ ଚିହ୍ନଟ କରି ସେଠାକୁ ସମସ୍ତଙ୍କୁ ନେଇ ଯାଇଥିଲା । ସାଙ୍ଗରେ ଯ।ଇଥିବା ଗ୍ରାମବାସୀ ଏବଂ ପିଲାଟିର ପରିବାର ଲୋକ ସଂପୃକ୍ତ ଯାଗାଟିକୁ ଖୋଳିଥିଲେ । ସତକୁ ସତ ମାଟିତଳୁ ଏକ କଂକାଳ ବାହାରିଥିଲା । ଏହି କଂକାଳର ମୁଣ୍ଡରେ ମାଡ ବାଜିଥିବା ମଧ୍ୟ ସ୍ପଷ୍ଟ ଜଣାପଡୁଥିଲା । ଯେଉଁ ଫାର୍ସାରେ ହତ୍ୟା ହୋଇଥିଲା ତାହା ମଧ୍ୟ ନିକଟସ୍ଥ ଏକ ବୁଦାରୁ ମିଳିଥିଲା । ଏଥର ପିଲାଟି ଯେ, ନିଜ ପୂର୍ବ ଜନ୍ମ ସମ୍ପର୍କରେ ସବୁ କଥା ମନେ ରଖିଛି ଏକଥା ସମସ୍ତେ ବିଶ୍ବାସ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.