ବାରିପଦା ଶିରିଷବଣି ସ୍ବାମୀ ବିବେକାନନ୍ଦ ଆବାସିକ ସ୍କୁଲରୁ ୩ ଛାତ୍ର ନିଖୋଜ : ଥାନାରେ ମାମଲା

Published By : Prameya-News7 Bureau | August 18, 2019 IST

ବାରିପଦା ୧୮/୮: ସ୍କୁଲ ହଷ୍ଟେଲରୁ କୁଆଡ଼େ ଗଲେ ୩ ଛାତ୍ର ?  କେମିତି ଜାଣିପାରିଲେନି ସ୍କୁଲ କର୍ତ୍ତୃପକ୍ଷ ? ବାରିପଦା ଶିରିଷବଣିରେ ଥିବା ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମ ଆବାସିକ ସ୍କୁଲରୁ ୨ଦିନ ତଳେ ଗାଏବ ହୋଇଯାଇଥିବା ସ୍କୁଲ ଛାତ୍ରଙ୍କ ଅଭିଭାବକ ଏବେ ଏଇ ପ୍ରଶ୍ନ ପଚାରୁଛନ୍ତି । ମାମଲା ଥାନାରେ ପହଞ୍ଚିଛି । ଛାତ୍ରମାନଙ୍କୁ ଖୋଜୁଛି ପୋଲିସ । ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ?    

  ଅବିନାଶ ମହାକୁଡ଼ , ହେମନ୍ତ ସାହୁ , ଶୁଭଙ୍କର ମିଶ୍ର ନିଖୋଜ ହୋଇଯାଇଛନ୍ତି।  ବାରିପଦା ଶିରିଷବଣିରେ ଥିବା ସ୍ବାମୀ ବିବେକାନନ୍ଦ ଶିକ୍ଷାଶ୍ରମ ଆବାସିକ ସ୍କୁଲରୁ ନବମ ଶ୍ରେଣୀର ଏଇ ତିନି ଛାତ୍ର ଏବେ କେଉଁଠି ? କେମିତି ସେମାନେ ସ୍କୁଲ ହେଷ୍ଟେଲରୁ ନିଖୋଜ୍ ହୋଇଗଲେ ?  ନିଖୋଜ୍ ଛାତ୍ରମାନଙ୍କ ସମ୍ପର୍କରେ କେମିତି ଜାଣିପାରିଲେନି ସ୍କୁଲ କର୍ତ୍ତୃପକ୍ଷ ?  ସ୍କୁଲ ପ୍ରିନିସିପାଲ ବୀଣାପାଣି ଦାଶଙ୍କ କହିବା ଅନୁସାରେ ଗଲା ୧୬ ତାରିଖ ଭୋର୍ ୫ଟାରୁ ସାଢ଼େ ୭ଟା ଭିତରେ ଏଇ ପିଲାମାନେ ସ୍କୁଲରୁ କେଉଁଆଡ଼େ ପଳାଇଛନ୍ତି । କାରଣ ସାଢ଼େ ୭ଟାରେ ଆସେମ୍ବ୍ଲି ସମୟରେ ହିଁ ଏହି ୩ଜଣ ପିଲା ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ପ୍ରଥମେ ପିଲାଙ୍କ ନିଖୋଜ ସମ୍ପର୍କରେ ସେମାନଙ୍କ ଅଭିଭାବକଙ୍କୁ ଜଣାଇବା ପରେ ଯେତେବେଳେ ସେମାନଙ୍କ ତରଫରୁ ପୋଲିସକୁ ଜଣାଇବାକୁ ଚାପ ପଡ଼ିଥିଲା ସେତେବେଳେ ରାତି ସାଢ଼େ ୯ଟା ବେଳକୁ ଥାନାରେ ଏତଲା ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ । ଏହା ପରେ ପୋଲିସ ତାର ଇନ୍ଭେଷ୍ଟିଗେସନ ଆରମ୍ଭ କରିଛି ।

ବାପାମାଆଙ୍କ ଠାରୁ ଦୂରରେ ପିଲାମାନଙ୍କୁ ନିଜ ପାଖରେ ରଖି ପାଠ ପଢ଼ାଇ ଭଲ ମଣିଷ କରିବାର ପ୍ରତିଶ୍ରୁତି ଦେଇ ଆଉ ତା’ବଦଳରେ ମୋଟା ଅଙ୍କର ଫିସ୍ ନେଉଥିବା ଏହି ଆବାସିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏତେ ଖାମଖିଆଲ କଣ ପାଇଁ ? ଏଠାରେ ନା ସିସିଟିଭି କାମ କରୁଛି ନା’ କୌଣସି ରାତ୍ରି ଜଗୁଆଳି ଅଛନ୍ତି । ଏମିତିରେ ସ୍କୁଲରେ ରହି ପାଠ ପଢ଼ୁଥିବା ଛାତ୍ରମାନଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ । ନିଜ ପିଲାଙ୍କ ନିଖୋଜ ଖବର ଏବେ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ପୂର୍ବରୁ ଏହି ନିର୍ଦ୍ଧିଷ୍ଟ ସ୍କୁଲରେ ବାରମ୍ବାର ଅଘଟଣ ସାମ୍ନାକୁ ଆସିଛି । ପିଲାମାନେ ହଷ୍ଟେଲରୁ ଲୁଚି ପଳାଇବା, ଛାତ୍ରୀ ଆତ୍ମହତ୍ୟା କରିବା ଏମିତିକି ଗତ ବର୍ଷ ଜଣେ ଶିକ୍ଷକଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ସ୍କୁଲ ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା । ଆଉ ଏବେ ପୁଣି ୩ ଛାତ୍ର ନିଖୋଜ୍ ହେବା ଘଟଣା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି । ଏଭଳି ଘଟଣା ପରେ ଜିଲ୍ଲାପ୍ରଶାସନ ତୁରନ୍ତ ଏହି ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରି ହୋଇପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.