ଟିଟିଲାଗଡ଼ ପୁଲିସ‌ କବଜାରେ ୩ ଲୁଟେରା: ଦିନ ଦିପହରେ ଏମାନେ କରୁଥିଲେ ଲୁଟପାଟ

Published By : Prameya-News7 Bureau | December 28, 2020 IST

ବଲାଙ୍ଗୀର୨୮/୧୨: ଟିଟିଲାଗଡ଼ ପୁଲିସ୍‌ କବଜାରେ ୩ ଲୁଟେରା। ଦୀର୍ଘଦିନ ହେବ ଏମାନେ ପୁଲିସ୍ ଟାର୍ଗେଟରେ ଥିଲେ। ଟିଟିଲାଗଡ଼ ଅଞ୍ଚଳ ସମେତ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳାଇଥିଲେ ଲୁଟପାଟ। ଏହି ଗ୍ୟାଙ୍ଗ ଆଖି ପିଛୁଳାକେ ଲୋକଙ୍କ ଠାରୁ ଲୁଟ କରି ଫେରାର ହୋଇଯାଉଥିଲେ। ଏହି ଗ୍ୟାଙ୍ଗର ୩ଜଣ ଲୁଟେରାଙ୍କୁ ଗିରଫ କରିଛି ଟିଟିଲାଗଡ ପୋଲିସ।

ଗତ ୨୧ ତାରିଖ ସନ୍ଧ୍ୟାରେ ଟିଟିଲାଗଡ଼ ସହରସ୍ଥିତ ଏଚ.ପି. ଗ୍ୟାସ ଗୋଦାମ ତଥା ଦୋକାନର କର୍ମଚାରୀଙ୍କ ଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ଫେରାର ମାରିଥିଲେ ଏହି ଲୁଟେରା। ଆରକ୍ଷୀ ଅଧିକାରୀ ତଥା ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବଲାଙ୍ଗୀର ପୁଇଁତଳା ନିକଟସ୍ଥ କୂରେଭନା ଗାଁ ନିକଟରୁ ଲୁଟେରାମାନଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ।

ଏହି ଗ୍ୟାଙ୍ଗର ତିନିଜଣ ଲୁଟେରା ହେଲେ ପ୍ରଶାନ୍ତ ନନ୍ଦ, ଅଶ୍ୱିନୀ ହରପାଳ ଏବଂ ମନଚାନ୍ଦ ବାରିକ l ତିନିଜଣଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ୯ ହଜାର ସାତ ଶହ ଟଙ୍କା, ଏକ ମୋଟର ସାଇକେଲ ସହ ଅନ୍ୟାନ ସାମଗ୍ରୀ ଜବତ କରିଛି ପୋଲିସ । ଲୁଟେରାମାନଙ୍କ ନାମରେ ପୂର୍ବରୁ ମଧ୍ୟ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଥାନାରେ ଲୁଟ କରିଥିବା ନେଇ ଅନେକ ମୋକଦ୍ଦମା ରହିଛି l ଟିଟିଲାଗଡ଼ ଏସଡ଼ିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଜି ଗିରଫ ଲୁଟେରା ମାନଙ୍କୁ କୋଟ ଚାଲାଣ କରାଯିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.