ସଂସଦର ମୌସୁମୀ ଅଧିବେଶନରେ ରାଜ୍ୟସଭା ସଚିବାଳୟର ୮୩ ଜଣ ଅଧିକାରୀ ହେଲେ କରୋନାରେ ସଂକ୍ରମିତ
25/09/2020 at 4:10 PM

ନୂଆଦିଲ୍ଲୀ ୨୫/୦୯: ଦେଶରେ କରୋନା ସଂକ୍ରମଣ ମଧ୍ୟରେ ୧୦ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଗତ ବୁଧବାର ଦିନ ସମାପ୍ତ ହୋଇଛି। ଇତିମଧ୍ୟରେ ସଂସଦର ମୌସୁମୀ ଅଧିବେଶନ କାଳରେ ରାଜ୍ୟସଭା ସଚିବାଳୟର ୮୩ ଜଣ ଅଧିକାରୀ କରୋନାରେ ସଂକ୍ରମିତ ହୋଇଛନ୍ତି।
ଗୁରୁବାର ଏକ ବୈଠକ ସମୟରେ ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା ଯେ ୮୩ ଜଣ ଅଧିକାରୀ କରୋନା ଭାଇରସରେ ସଂକ୍ରମିତ। ଏହା ସହ ସେମାନଙ୍କୁ ଆବଶ୍ୟକୀୟ ଚିକତ୍ସା ସେବା ଯୋଗାଇବା ସହ ଚିକିତ୍ସା ଖର୍ଚ ଦେବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି।
କରୋନା ସଂକ୍ରମଣ ମାମଲା ବଢ଼ୁଥିବାରୁ ରାଜ୍ୟସଭାକୁ ଗତ ବୁଧବାରରୁ ଅନିଶ୍ଚିତକାଳ ପାଇଁ ସ୍ଥଗିତ ରଖାଯାଇଛି। ଅର୍ଥାତ ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ସମୟଠାରୁ ପ୍ରାୟ ୮ ଦିନ ପୂର୍ବରୁ ଅନିର୍ଧିଷ୍ଠ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଅଳ୍ପ ଅବଧି ମଧ୍ୟରେ ସଂସଦରେ ୨୫ଟି ବିଧେୟକ ପାରିତ ହୋଇଛି। ହଙ୍ଗାମା ଯୋଗୁ ୮ଜଣ ବିରୋଧୀ ସଦସ୍ୟଙ୍କୁ ସଂସଦରୁ ନିଲମ୍ବିତ ମଧ୍ୟ କରାଯାଇଥିଲା।
ସଭାପତି ନାଇଡୁ ଅନିଶ୍ଚିତକାଳ ପାଇଁ ସଂସଦକୁ ମୁଲତବି ଘୋଷଣା କରିବା ପୂର୍ବରୁ ଅଧିବେଶନରେ ୧୦୪.୪୭ ପ୍ରତିଶତ କାମ ହୋଇଥିବା କହିଥିଲେ। ଏହା ସହ ବିଭିନ୍ନ ଅବହେଳା ଯୋଗୁ ତିନି ଘଂଟା କାର୍ଯ୍ୟରେ କ୍ଷତି ହୋଇଥିବା ବେଳେ ତିନି ଘଂଟା ୨୬ ମିନିଟ୍ ଅଧିକ କାମ ମଧ୍ୟ ହୋଇଥିବା କହିଥିଲେ ।