ମଣିପୁର: ମତଦାନ କାଳରେ ହିଂସା, ପୋଲିଂ ବୁଥରେ EVM ଭାଙ୍ଗିଲେ ଦୁର୍ବୃତ୍ତ, ଗୁଳି କାଣ୍ଡରେ ୩ ଆହତ

Published By : Prameya-News7 Bureau | April 19, 2024 IST

ବିଷ୍ଣୁପୁର ୧୯।୪: ଲୋକସଭା ନିର୍ବାଚନ ୨୦୨୪ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କାଳରେ ଶୁକ୍ରବାର ମଣିପୁରର ଏକ ପୋଲିଂ ବୁଥରେ ଫାୟିରିଂ ହୋଇଛି। ଫଳରେ ୩ ଜଣ ଆହତ ହୋଇଛନ୍ତି। ଏହି ଘଟଣା ବିଷ୍ଣୁପୁର ଜିଲ୍ଲା ଥମନପୋକପୀ କେନ୍ଦ୍ରରେ ହୋଇଛି।  ଜାତିଆଣ ହିଂସା ପ୍ରଭାବିତ ମଣିପୁରର ଦୁଇ ଲୋକସଭା ଆସନ ନିମନ୍ତେ ଶୁକ୍ରବାର ଭୋଟିଂ ଚାଲିଥିବା ବେଳେ ଏହି ଘଟଣା ଘଟିଛି। ସେହିପରି ଇଷ୍ଟ ଇମ୍ଫାଲର ଥୋଙ୍ଗୁଜର ଏକ ବୁଥରେ ଇଭିଏମ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। 

ମଣିପୁର ମୋଇରାଂ ବିଧାନସଭା ନିର୍ବାଚନମଣ୍ଡଳି ଥମନପୋକପୀର ଏକ ପୋଲିଂ ବୁଥ ନିକଟରେ ଦୁର୍ବୃତ୍ତ ଗୁଳିକାଣ୍ଡ କରିଥିଲେ। ଗୁଳି ଶବ୍ଦରେ ଭୋଟରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସୋସିଆଲ ମିଡିଆରେ ଅପଲୋଡ ଭିଡିଓରେ ଲୋକେ ମତଦାନ କେନ୍ଦ୍ରରୁ ପଳାୟନ କରୁଥିବା ଦେଖାଯାଇଛି। ଏହି ଘଟଣାରେ ଅନୁନ୍ୟ ୩ ଜଣ ଆହତ ହୋଇଛନ୍ତି। ଉତ୍ତେଜିତ ଲୋକେ ପୋଲିଂ ବୁଥରେ ଇଭିଏମ ଭଙ୍ଗାରୁଜା କରିଥିବାର ମଧ୍ୟ ଖବର ଆସୁଛି। ସେହିପରି ପୂର୍ବ ଇମ୍ଫାଲର ଖୋଙ୍ଗମାନରେ ଅଜ୍ଞାତ ଦୁର୍ବୃତ୍ତ ପୋଲିଂ ବୁଥରେ ପଶି ପ୍ରକ୍ସି ଭୋଟିଂ କରିଥିବା ଜଣାପଡିଛି। 


ଜନୈକ ପୋଲିସ ଅଧିକାରୀଙ୍କ ଅନୁସାରେ କେତେକ ସ୍ଥାନରେ ଅଶାନ୍ତିର ଛୋଟମୋଟ ଘଟଣା ସାମ୍ନାକୁ ଆସିଛି। ଏଥିରେ ଇନର ମଣିପୁର ଲୋକସଭା ଆସନ ଅନ୍ତର୍ଗତ ଥୋଙ୍ଗୁଜ ବିଧାନସଭା ନିର୍ବାଚନ ମଣ୍ଡଳିରେ ସ୍ଥାନୀୟ ଲୋକ ଓ ଅଜ୍ଞାତ ଦୁର୍ବୃତ୍ତ ମଧ୍ୟରେ ସଂଘର୍ଷ ହୋଇଛି। ଏଥି ମଧ୍ୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ଲୁବାଙ୍ଗସାଙ୍ଗବାମମାଙ୍ଗ ଲିକାଇରେ ତାଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। 


ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ମୂଳ ନିବାସୀଙ୍କୁ ରକ୍ଷା କରିବା ଓ କ୍ଷେତ୍ରୀୟ ଅଖଣ୍ଡତାର ସୁରକ୍ଷା ନିମନ୍ତେ ମତଦାନ ପାଇଁ ଲୋକଙ୍କୁ ମତାଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.