ଆନ୍ଧ୍ରପ୍ରଦେଶ ବିଜୟୱାଡା ଥର୍ମାଲ ପାୱାର ଷ୍ଟେସନରେ ଦୁର୍ଘଟଣା, ଲିଫ୍ଟ କେବୁଲ ଛିଡିବାରୁ ୩ଜଣଙ୍କର ମୃତ୍ୟୁ
18/03/2023 at 4:14 PM

ଅମରାବତୀ ୧୮।୩: ଆନ୍ଧ୍ରପ୍ରଦେଶ ବିଜୟୱାଡା ଥର୍ମାଲ ପାୱାର ଷ୍ଟେସନ (ଭିଟିପିଏସ୍)ରେ ଶନିବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳୁଥିବା ସୂଚନା ଅନୁସାରେ ଲିଫଟର କେବୁଲ ଛିଡିବା ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି ଦୁର୍ଘଟଣା କାଳରେ ଲିଫ୍ଟରେ ୮ ଜଣ ଲୋକ ଥିଲେ। ଦୁର୍ଘଟଣା ସୂଚନା ପାଇ ଭିଟିପିଏସ୍ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ବଡ କଷ୍ଟରେ କୌଶଳ କରି ଲିଫଟରୁ ବାହାର କରିବା ପରେ ହସ୍ପିଟାଲ ପଠାଯାଇଛି।
ଦୁର୍ଘଟଣା ପରେ ଥର୍ମାଲ ପାୱାର ପ୍ଲାଣ୍ଟର କର୍ମଚାରୀମାନେ ଦୁର୍ଘଟଣା ସ୍ଥଳରେ ଠୁଳ ହୋଇଯାଇଥିଲେ। ଲିଫ୍ଟରେ ଫଶିଥିବା ଲୋକଙ୍କୁ ବାହାର କରିବା ପାଇଁ କ୍ରେନର ସହାୟତା ନିଆଯାଇଥିଲା। କୁହାଯାଉଛି ଲିଫ୍ଟ ବେଶ୍ ଉଚ୍ଚରୁ ତଳକୁ ଖସିଥିଲା। ତେବେ କେବଳ ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ଲିଫ୍ଟ ଦୁର୍ଘଟଣା ହୋଇ ନାହିଁ। ୟୁପି ଗ୍ରେଟର ନୋୟଡାରେ ମଧ୍ୟ ସମାନ ଧରଣର ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ଇଞ୍ଜିନିୟରଙ୍କ ମର୍ମନ୍ତୁଦ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ଗ୍ରେଟର ନୋୟଡାର ନଲେଜ ପାର୍କ ଥାନା ଅଞ୍ଚଳରେ ଥିବା ସେକ୍ଟର ୧୫୦ରେ ଏକ ବିଲ୍ଡିଂର ନିର୍ମାଣ କାମ ଚାଲୁଥିଲା। ନିର୍ମାଣ କାର୍ଯ୍ୟ ଲାଗି ମେଟେରିଆଲ ଉପର ମହଲାକୁ ପହଞ୍ଚାଇବା ନିମନ୍ତେ ଏକ ଅସ୍ଥାୟୀ ଲିଫ୍ଟ ଲଗାଯାଇଥିଲା। କମ୍ପାନୀ ପକ୍ଷରୁ ଇଞ୍ଜିନିୟର ଋତିକ ରାଠୋର (୨୮) ଏହି ଅସ୍ଥାୟୀ ଲିଫ୍ଟକୁ ଓହ୍ଲାଇବା ପାଇଁ ଉପରକୁ ଯାଇଥିଲେ। ଲିଫ୍ଟ ହଟେଇବା ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ଅଧିକ ଓଜନ ହୋଇଯିବାରୁ ଲିଫ୍ଟ ୨୫ ମହଲାରୁ ତଳକୁ ଖସିପଡିଥିଲା।