ବାପା ୧୦ ବର୍ଷ ହେଲା ଫେରାର, ତିନି ପିଲାଙ୍କୁ ଅନାଥ କରି ମା ଚାଲିଗଲା ଆର ପାରିକୁ…ଶିଶୁ ଦିବସରେ ଅଂଧାର ଏବେ ତିନି ଶୁଶୁଙ୍କ ଜୀବନ
14/11/2018 at 5:20 PM

ବାଲେଶ୍ବର୧୪|୧୧: ଶିଶୁ ଦିବସରେ ବାଲେଶ୍ବରରୁ ଆସିଛି ଦୁଃଖଦ ଖବର । ବାପା ଘର ଛାଡ଼ି ଚାଲିଯିବାର ୧୦ବର୍ଷ ପରେ ମାଆ ଚାଲିଗଲେ ଆରପାରିକୁ । ଅନାଥ ହୋଇଗଲେ ତିନି ତିନିଟି ଛୁଆ । ଏବେ ବଞ୍ଚିବାର ରାହା ଖୋଜୁଥିବା ଏହି ପିଲାଙ୍କ ଭବିଷ୍ୟତ ପାଇଁ ପ୍ରଶାସନକୁ ଗୁହାରି କରିଛନ୍ତି ଗ୍ରାମବାସୀ । …..
ଅଟକି ଯାଇଛି ଜୀବନର ଧାରା । ବଞ୍ଚିବାର ରାହା ଖୋଜୁଛି ଏମାନଙ୍କ ନୀରିହ ଆଖି । କିଏ ଏମାନଙ୍କୁ ସାହାରା ଦେବ । ବାପା ଘର ଛାଡ଼ି ଚାଲିଯିବାର ୧୦ବର୍ଷ ହେଲାଣି । ପର ଘରେ ପାଇଟି କରି ଏପର୍ଯ୍ୟନ୍ତ ସମ୍ଭାଳି ଆସିଥିବା ମାଆ ବାସନ୍ତୀ ବି ଶେଷରେ ଆଖି ବୁଜିଲେ । ଏବେ ଭବିଷ୍ୟତ-ବର୍ତ୍ତମାନ ସବୁ କିଛି ଅନ୍ଧାର । ଝାଟିମାଟିର ଘର ଖଣ୍ଡେ ଅଛି । ଭରଣପୋଷଣ ପାଇଁ ସମ୍ବଳ ନଥିବାରୁ ସମ୍ପର୍କୀୟ ବି ପାଖରେ ରଖିବାକୁ ସାହସ ଜୁଟାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଏମାନେ କରିବେ କ’ଣ । ଇଏ ହେଉଛି ବାଲେଶ୍ବର ପାତ୍ରପଡ଼ା ପାଟଣା ସାହିର ରହୁଥିବା ତିନି ଅନାଥ ପିଲାଙ୍କ କରୁଣ କାହାଣୀ ।
ଗାଁ ଲୋକେ ମିଳିମିଶି ବାସନ୍ତୀଙ୍କ ଶୁଦ୍ଧିକ୍ରିୟା କରିଛନ୍ତି । ବଡ଼ ମାମୁଁ ଟ୍ରଲି ରିକ୍ସା ଚଳାଉଥିବା ବେଳେ ସାନମାମୁ ମୂଲ ମଜୁରି ଲାଗିଲେ ପରିବାର ଚଳେ । ଏମିତିରେ ଭଉଣୀର ଏହି ତିନି ପିଲାଙ୍କ ବୋଝ ମୁଣ୍ଡାଇବାକୁ ସେମାନଙ୍କ ପାଖରେ ସାମର୍ଥ୍ୟ ନାହିଁ । ଏମିତିରେ ଜିଲ୍ଲା ପ୍ରଶାସନ ଉପରେ ଭରସା କରିଛନ୍ତି ସମସ୍ତେ । ଆମ ଠାରୁ ସବୁ କଥା ଶୁଣିବା ପରେ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।
ଗରିବ ଅସହାୟଙ୍କ ପାଇଁ ସରକାର ଅନେକ କିଛି ଯୋଜନା କରିଛନ୍ତି । ତେବେ ବାଲେଶ୍ବର ଜିଲ୍ଲା ପ୍ରଶାସନ କେବଳ ଯୋଜନା ଗୁଡ଼ିକରେ ଦିଆଯାଉଥିବା ସହାୟତାକୁ ପାତ୍ରପଡ଼ା ପାଟଣା ସାହିର ଏହି ଅନାଥ ପିଲାଙ୍କ ପାଖରେ ପହଞ୍ଚାଇବା ଦରକାର । ସେମିତି ହେଲେ ହୁଏତ ଏହି ପିଲାମାନଙ୍କ ବର୍ତମାନ ଆଉ ଭବିଷ୍ୟତ ଉପରୁ ଅନ୍ଧାରର କଳାବାଦଲ ହଟିଯାଇପାରନ୍ତା ।