କୋବାଡ ଗାନ୍ଧିଙ୍କ ଅନୁବାଦ ପୁସ୍ତକର ପୁରଷ୍କାର ପ୍ରତ୍ୟାହାର ଲାଗି ସରକାରଙ୍କ ନିଷ୍ପତ୍ତି ଯୋଗୁ ଚୟନ କମିଟିରୁ ୩ ସଦସ୍ୟଙ୍କ ଇସ୍ତଫା
14/12/2022 at 5:52 PM

ମୁମ୍ବାଇ ୧୪।୧୨: ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କଥିତ ମାଓବାଦୀ ବିଚାରକ କୋବାଡ ଗାନ୍ଧିଙ୍କ ପୁସ୍ତକର ମରାଠୀ ଅନୁବାଦକୁ ପ୍ରଦତ୍ତ ପୁରସ୍କାର ପ୍ରତ୍ୟାହାର ନିମନ୍ତେ ନିଷ୍ପତ୍ତି ଯୋଗୁ ପୁରସ୍କାର ଚୟନ କମିଟିର ୩ ସଦସ୍ୟ ଇସ୍ତଫା ଦେଇଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଗଣତାନ୍ତ୍ରିକ ପ୍ରକ୍ରିୟାର ଅପମାନ ବୋଲି ସଦସ୍ୟମାନେ କହିଥିବା ବେଳେ ରାଜ୍ୟ ସାହିତ୍ୟ ଓ ସଂସ୍କୃତି ବୋର୍ଡରୁ ଇସ୍ତଫା ଦେଉଥିବା କହିଛନ୍ତି।
ସଦସ୍ୟ ଡ. ପ୍ରଜ୍ଞା ଦୟା ପାୱାର, ନିରଜା ଓ ହେରମ୍ବ କୁଲକର୍ଣ୍ଣି ମହାରାଷ୍ଟ୍ର ସାହିତ୍ୟ ଓ ସଂସ୍କୃତି ବୋର୍ଡରୁ ଇସ୍ତଫା ଦେଇଛନ୍ତି। ଏମାନେ ସେହି କମିଟିର ସଦସ୍ୟ ଥିଲେ ଯେଉଁ କମିଟି କୋବାର୍ଡ ଗାନ୍ଧିଙ୍କ ‘ଫ୍ରାକ୍ଚର୍ଡ ଫ୍ରିଡମ: ଏ ପ୍ରିଜିନ ମେମୟର’ପୁସ୍ତକର ମରାଠୀ ଅନୁବାଦ ଲାଗି ଅନଘା ଲେଲେଙ୍କୁ ୟଶବନ୍ତ ରାୱ ଚହ୍ୱାନ ସାହିତ୍ୟ ପୁରସ୍କାର ୨୦୨୧ ପ୍ରଦାନ ନିମନ୍ତେ ଡିସେମ୍ବର ୬ ତାରିଖ ଦିନ ଘୋଷଣା କରିଥିଲେ। ତେବେ ସରକାର କେବଳ ପୁରସ୍କାର ପ୍ରତ୍ୟାହାର ଲାଗି ଘୋଷଣା କରି ନାହାନ୍ତି ଏହା ସହିତ ପୁରସ୍କାର ମନୋନୟନ କମିଟିକୁ ମଧ୍ୟ ଭଙ୍ଗ କରିଦେଇଛନ୍ତି।
କୋବାଡଙ୍କ ମାଓବାଦୀଙ୍କ ସହ କଥିତ ସମ୍ପର୍କ ନିମନ୍ତେ ପୁରସ୍କାର ଲାଗି ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା। ଏହି ସମାଲୋଚନାକୁ ଦେଖି ସରକାର ପୁରସ୍କାର ପ୍ରତ୍ୟାହାର ଘୋଷଣା କରିଛନ୍ତି। ସରକାରଙ୍କ ନିଷ୍ପତ୍ତିକୁ ଡା. ପାୱାର ଏକତରଫା ଓ ଏହା ଗଣତାନ୍ତ୍ରିକ ପ୍ରକ୍ରିୟାର ଅପମାନ ବୋଲି କହିଛନ୍ତି। ତେବେ ମୁଁ ମହାରାଷ୍ଟ୍ର ସାହିତ୍ୟ ଓ ସଂସ୍କୃତି ବୋର୍ଡରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି।
ସେହିପରି କୁଲକର୍ଣ୍ଣି କହିଛନ୍ତି ଯେ ଗାନ୍ଧିଙ୍କ ପୁସ୍ତକ ଉପରେ କୌଣସି ପ୍ରତିବନ୍ଧକ ନଥିଲା। ଏହା ସତ୍ତ୍ୱେ ମହାରାଷ୍ଟ୍ର ସରକାର ଅନୁଦାବିତ ସଂସ୍କରଣକୁ ପୁରସ୍କାର ଦେବା ନିମନ୍ତେ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ତେବେ ସରକାରଙ୍କ ଏପରି ମନବୃତ୍ତି ଭବିଷ୍ୟତରେ ଏପରି ପ୍ରକ୍ରିୟାର ଅଂଶ ହେବା ଲାଗି ଲୋକଙ୍କୁ ହତୋତ୍ସାହିତ କରିବ ଓ ଏଥିରେ ଯଦି ବୋର୍ଡ ଆମର ସମର୍ଥନ କରୁ ନାହାନ୍ତି ତେବେ ବରଂ ଇସ୍ତଫା ଦେଇଦେବା ଭଲ ବୋଲି କହିଛନ୍ତି। ମୁଁ ଅଭିବ୍ୟକ୍ତିର ସ୍ୱାଧୀନତାରେ ବିଶ୍ୱାସ କରୁଛି ଓ ସରକାରଙ୍କ ନିଷ୍ପତ୍ତିରେ ମର୍ମାହତ ବୋଲି କହିଛନ୍ତି।