ସତ୍ୟ ଉନ୍ମୋଚନ ପାଇଁ ହତ୍ୟା, ସାନିଟାଇଜର ଢାଳି ସାମ୍ବାଦିକଙ୍କୁ ଜାଳିଲେ, ୩ ଅଭିଯୁକ୍ତ ଗିରଫ
1/12/2020 at 4:48 PM

ଲକ୍ଷ୍ନୌ ୦୧/୧୧: ଉତ୍ତରପ୍ରଦେଶରେ ଜଣେ ୩୭ ବର୍ଷୀୟ ସାମ୍ବାଦିକ ଓ ତାଙ୍କ ବନ୍ଧୁଙ୍କୁ ହତ୍ୟା ମାମଲା ନୂଆ ମୋଡ ନେଇଛି। ସାମ୍ବାଦିକ ଓ ତାଙ୍କ ବନ୍ଧୁଙ୍କୁ ନିଆଁ ଲଗାଇ ହତ୍ୟା କରିବା ପାଇଁ ଅଭିଯୁକ୍ତ ସାନିଟାଇଜର ବ୍ୟବହାର କରିଥିବା ପୋଲିସ କହିଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଗାଁ ମୁଖିଆଙ୍କ ପୁଅ ବି ସାମିଲ ଥିବା ଜଣାପଡ଼ିଛି।
ଲକ୍ଷ୍ନୌର ଖବରକାଗଜ ରାଷ୍ଟ୍ରିୟ ସ୍ବରୁପର ସାମ୍ବାଦିକ ରାକେଶ ସିଂହ ନିର୍ଭିକ ଓ ତାଙ୍କର ୩୪ ବର୍ଷୀୟ ବନ୍ଧୁ ପିଣ୍ଟୁ ସାହୁଙ୍କୁ ପୋଲିସ ସମ୍ପୂର୍ଣ୍ଣ ଜଳିଯାଇଥିବା ଅବସ୍ଥାରେ ଉଦ୍ଧାର କରିଥିଲା। ସାମ୍ବାଦିକଙ୍କ ଘର ଲକ୍ଷ୍ନୌରୁ ୧୬୦ କିମି ଦୂର ବଳରାମପୁରର ଏକ ଗାଁରେ। ସମ୍ପୂର୍ଣ୍ଣ ଜଳିଯାଇଥିବା ଅବସ୍ଥାରେ ପୋଲିସ ଉଦ୍ଧାର ବେଳେ ପିଣ୍ଟୁ ସାହୁଙ୍କ ମୃତ୍ୟୁ ହୋଇସାରିଥିଲା। କିନ୍ତୁ ଗୁରୁତର ଅବସ୍ଥାରେ ରାକେଶଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଗ୍ରାମ ପ୍ରଧାନ ଓ ତାଙ୍କ ପୁଅଙ୍କ ଦ୍ବାରା କରାଯାଉଥିବା ଦୁର୍ନୀତି ବିରୋଧରେ ଲଗାତର ପ୍ରକାଶ କରୁଥିଲେ ସାମ୍ବାଦିକ ରାକେଶ। ସତ୍ୟ ଉନ୍ମୋଚନ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସାମ୍ବାଦିକଙ୍କ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ରାକେଶ ପୋଡ଼ି ହେବା ଫଳରେ କଷ୍ଟ ପାଉଥିବା ଦେଖିବାକୁ ମିଳିଥିଲା। ତେବେ ଏଭଳି ଏକ ମାମଲାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ରିଙ୍କୁ ମିଶ୍ର ଯିଏକି ଗ୍ରାମ ପ୍ରଧାନଙ୍କ ପୁଅ ଓ ଅକରମ ଏବଂ ଲଳିତ ମିଶ୍ରଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ପୂର୍ବରୁ ହତ୍ୟା ମାମଲା ରହିଛି। ତେବେ ସାମ୍ବାଦିକଙ୍କୁ ଜଳାଇବା ପାଇଁ ଅଭିଯୁକ୍ତମାନେ ସାନିଟାଇଜର ବ୍ୟବହାର କରିଥିବା ପୋଲିସ କହିଛି।
ମିଳିଥିବା ସୂଚନା ଅନୁସାରେ ୨୭ ନଭେମ୍ବରରେ ଲଳିତ ମିଶ୍ର ଓ ପିଣ୍ଟୁ ସାହୁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହି ଘଟଣାକୁ କେନ୍ଦ୍ର କରି ଲଳିତ ଓ ତାର ବାକି ବନ୍ଧୁ ପ୍ରବଳ ମଦ୍ୟ ପାନ କରି ଏଭଳି ଘଟଣା ଭିଆଇଥିଲେ। ଏବେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାମଲରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରାଯିବ ବୋଲି ପୋଲିସ କହିଛି।