ରେଙ୍ଗାଳି ଡ୍ୟାମ୍ର ୩ଟି ଓ ସମଲ ବ୍ୟାରେଜର ୯ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କଲେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ
27/08/2020 at 9:27 AM

ଅନୁଗୋଳ ୨୭।୮: ରେଙ୍ଗାଳି ଡ୍ୟାମର ୩ଟି ଗେଟ୍ ଏବଂ ସମଲ ବ୍ୟାରେଜର ୯ଟି ଗେଟ୍ ଖୋଲା ରହିଛି । ବ୍ରାହ୍ମଣୀର ତଳ ମୁଣ୍ଡରେ ଥିବା ନଦୀ କୂଳିଆ ଲୋକଙ୍କୁ ସତର୍କ କରିଛନ୍ତି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ।

ଅନୁଗୋଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବୁଧବାର ରାତିସାରା ତୁହାକୁ ତୁହା ବର୍ଷା ହୋଇଛି । ତେଣୁ ରେଙ୍ଗାଳି ଡ୍ୟାମ୍ ଏବଂ ସମଲ ବ୍ୟାରେଜର ଜଳସ୍ତର ବୃଦ୍ଧି ପାଇଛି । ଏବେ ରେଙ୍ଗାଳି ଡ୍ୟାମରୁ ୩ଟି ଗେଟ୍ ଦେଇ ୫୫୦୦ କ୍ୟୁମେକ୍ ଜଳ ନିଷ୍କାସନ ହେଉଛି । ସେହିପରି ସମଲ ବ୍ୟାରେଜର ୯ଟି ଗେଟ୍ ମାଧ୍ୟମରେ ୪୯୦୦ କ୍ୟୁମେକ ଜଳ ନିଷ୍କାସନ ହେଉଛି ।

ଏବେ ରେଙ୍ଗାଳି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧୦ ହଜାର ଘନ ମିଟର ଜଳ ପ୍ରବେଶ କରୁଛି । ସେହିପରି ସମଲ ବ୍ୟାରେଜକୁ ୭୦୦୦ କ୍ୟୁମେକ ଜଳ ପ୍ରବେଶ କରୁଛି । ତେଣୁ ଆଗକୁ ଆହୁରି ଗେଟ୍ ଖୋଲିବାର ସମ୍ଭାବନା ରହିଛି । ତେଣୁ ବ୍ରାହ୍ମଣୀରେ ଜଳସ୍ତର ବଢୁଛି ।

ତେଣୁ ତଳ ମୁଣ୍ଡରେ ବ୍ରାହ୍ମଣୀ ନଦୀ କୂଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବେ ରେଙ୍ଗାଳି ଜଳ ଭଣ୍ଡାରର ଜଳସ୍ତର ୧୨୨.୮୦ ମିଟର ରହିଛି ଏବଂ ସମଲ ବ୍ୟାରେଜର ଜଳସ୍ତର ୭୪.୮୦ରହିଛି ।