ପୁଣି ରାଜଧାନୀରେ ଗର୍ଜିଲେ ୫୦ ହଜାର ଶିକ୍ଷକ , ଆଜିଠୁ ତିନି ଦିନିଆ ଅହୋରାତ୍ର ଧାରଣା
9/10/2018 at 5:55 PM

ଭୁବନେଶ୍ବର ୯|୧୦: ପୁଣି ରାଜଧାନୀରେ ଗର୍ଜିଲେ ଶିକ୍ଷକ । ‘ ଶିକ୍ଷା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ନାରା ନେଇ ଗୋପବନ୍ଧୁ ଜୟନ୍ତୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶିକ୍ଷକ । ପ୍ରାୟ ୫୦ ହଜାର ଶିକ୍ଷକ ମାଷ୍ଟର କ୍ୟାଣ୍ଟିନ ଛକରୁ ବିଶାଳ ରାଲିରେ ଆସି ଲୋୟର ପିଏଜିରେ ପହଞ୍ଚିଥିଲେ । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଜାରି ରଖିବେ ବୋଲି ସେମାନେ ଧମକ ଦେଇଛନ୍ତି । ଓଡ଼ିଶା ସ୍କୁଲ-କଲେଜ-ଶିକ୍ଷକ କର୍ମଚାରୀ ମଳିତ ମଞ୍ଚ, ଆର୍ ୟା ପାର୍ ଲଢେଇକୁ ଓହ୍ଲାଇଛି । ପୂର୍ଣ୍ଣ ଅନୁଦାନ ଦାବିରେ ୫୫ ଦିନ ଧରି ଲୋୟର ପିଏମଜିରେ ଧାରଣାରେ ବସିଥିଲା ମିଳିତ ମଞ୍ଚ । ବ୍ଲକ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ ଅନୁଦାନ, ପେନସନ, ସର୍ଭିସ୍ ବୁକ ବ୍ୟବସ୍ଥା ଆଦି ପୁରୁଣା ଦାବି ନେଇ ପୁଣି ଆନ୍ଦୋଳନକୁ ଓହ୍ଲାଛନ୍ତି ସେମାନେ ।
ମାଷ୍ଟର କ୍ୟାଣ୍ଟିନରୁ ପ୍ରାୟ ୫୦ ହଜାର ଶିକ୍ଷକ, ମାଷ୍ଟର କ୍ୟାଣ୍ଟିନରୁ ଲୋୟର୍ ପିଏମଜି ୟାଏଁ ଆସିଥିଲେ । ଆଜି ଠାରୁ ୩ ଦିନ ଅହୋରାତ୍ର ଧାରଣାରେ ବସିବେ ସେମାନେ । ରାଜ୍ୟ ସରକାର, ଦାବି ପୂରଣ ନ କରିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ସେମାନେ ସଫା ସଫା ଶୁଣାଇ ଦେଇଛନ୍ତି ।
ନିର୍ବାଚନ ପାଖେଇ ଆସୁଥିବା ବେଳେ ଶିକ୍ଷକମାନେ, ସେମାନଙ୍କ ଦାବି ଜୋରଦାର୍ କରୁଛନ୍ତି । ଯାହା ସରକାରଙ୍କ ପାଇଁ ଅଡୁଆ ହେଉଥିବା ବେଳେ ବିରୋଧୀଙ୍କୁ ଯୋଗାଉଛି ଖୋରାକ୍ ।