ଲୋକାର୍ପିତ ହେଲା ବିଶ୍ୱର ସର୍ବ ବୃହତ୍ 3-D printed ବିଲ୍ଡିଂ
10/02/2020 at 7:53 PM

ଦୁବାଇ ୧୦।୨: ବିଶ୍ୱର ସର୍ବ ବୃହତ୍ତ ଥ୍ରୀ-ଡି ପ୍ରିଣ୍ଟେଡ୍ ବିଲ୍ଡିଂକୁ ସୋମବାର ଲୋକାର୍ପିତ କରାଯାଇଛି। ଦୁବାଇରେ ନିର୍ମିତ ଏହି ଭବନ ୬ହଜାର ୯୦୦ ବର୍ଗଫୁଟ ପରିମିତ ଅଞ୍ଚଳ ଉପରେ ଛିଡା ହୋଇଛି। ଦ୍ୱିତଳ ବିଶିଷ୍ଟ ଏହି ପ୍ରାସାଦରେ ଦୁବାଇ ନଗରପାଳିକାର କାର୍ଯ୍ୟାଳୟ ମଧ୍ୟ ରହିଛି।

ଦୁବାଇ ୨୦୩୦ ମସିହା ସୁଦ୍ଧା ସହରର ୨୫ ପ୍ରତିଶତ ବିଲ୍ଡିଂକୁ ଥ୍ରୀ-ଡି ପେଣ୍ଟିଂ କରିବା ଲାଗି ଯୋଜନା ରଖିଛି। ସେହି ଯୋଜନାରେ ନୂଆ ଭବନଟି ମଧ୍ୟ ନିର୍ମିତ ହୋଇଛି। ସ୍ୱତନ୍ତ୍ର ଧରଣର ନିର୍ମିତ ଏହି ବିଲ୍ଡିଂର ନିର୍ମାଣ କାମରେ ୭୦ ପ୍ରତିଶତ ଶ୍ରମ ହ୍ରାସ କରାଯାଇଥିବା ବେଳେ ଭବନର ନିର୍ମାଣ ଖର୍ଚ୍ଚ ପ୍ରାୟ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରିଛି।

ତେବେ ଏହି ବିଲ୍ଡିଂର ସବୁଠୁ ଖାସ କଥା ହେଲା ଏଥିରେ ଉପଯୋଗ କରାଯାଇଥିବା ସିମେଣ୍ଟ ଓ ଜିପସମ୍। ପ୍ରଥମ ଥର ବିଲ୍ଡିଂରେ ଖୁବ୍ ଶୀଘ୍ର ସୁଖୁଥିବା ସିମେଣ୍ଟର ଉପଯୋଗ ହୋଇଥିବା ବେଳେ ଏହାକୁ ଜିପସମ୍ ଅଧିକ ମଜଭୁତ କରିଛି। ସେହିପରି ଥ୍ରୀ-ଡି ଜ୍ଞାନକୌଶଳରେ ନିର୍ମାଣ ଯୋଗୁ ସାଧରଣ ନିର୍ମାଣ ମେଟେରିଆଲ ଅପେକ୍ଷା ଏଥିରେ କମ୍ ବ୍ୟୟ ହୋଇଛି।

ତେବେ ବିଶ୍ୱରେ ଏହା ପ୍ରଥମ ଥ୍ରୀ-ଡି ଜ୍ଞାନକୌଶଳରେ ନିର୍ମିତ ଭବନ ନୁହେଁ। ୧୯୮୦ ମସିହାରେ ଏଭଳି ବିଲ୍ଡିଂର ପ୍ରଥମ ପରିକଳ୍ପନା କରାଯାଇଥିବା ବେଳେ ଚୀନ ସୁଝାଉରେ ବିଶ୍ୱର ସର୍ବୋଚ୍ଚ ଥ୍ରୀ-ଡି ବିଲ୍ଟିଂ ରହିଛି। ଇଞ୍ଜିନିୟର ତଥା ପଦାର୍ଥବିଦ୍ ଚୁକ୍ ହୁଲେ ଏଭଳି ନିର୍ମାଣ କୌଶଳର ବିକାଶ କରିଥିଲେ।